କେନ୍ଦୁଝର,୫ା୧୧(ସ୍ବ.ପ୍ର.): ଧର୍ମାନ୍ତରୀକରଣ ରୋକିବା ପାଇଁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଡାଳପକା ପଞ୍ଚାୟତର ସୁନାପୋଷୀ ଓ ଗୋପୀନାଥପୁର ଗ୍ରାମର ଅଧିବାସୀମାନେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି। ଧର୍ମାନ୍ତରୀକରଣ ଯୋଗୁ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ କରି ଗ୍ରାମରେ ଶାନ୍ତି ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ସରଳ ଆଦିବାସୀ ଶ୍ରେଣୀର ଲୋକଙ୍କୁ ଟଙ୍କାର ପ୍ରଲୋଭନ ଓ ଔଷଧ ଦ୍ୱାରା ରୋଗ ଭଲ କରିବାର ପ୍ରତିଶ୍ରୁତି ଦେଇ ଏଭଳି ଧର୍ମାନ୍ତରୀକରଣ କରାଯାଉଥିବା ଉଭୟ ଗ୍ରାମର ଅଧିବାସୀମାନେ ଲିଖିତ ଅଭିଯୋଗ କରିଛନ୍ତି। ଏହି ବେଆଇନ ଧର୍ମାନ୍ତରୀକରଣ ବନ୍ଦ ସହ ଏହି କାର୍ଯ୍ୟରେ ଲିପ୍ତ ଧର୍ମପ୍ରଚାରକମାନଙ୍କୁ ଚିହ୍ନଟ କରି ଧରପଗଡ଼ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ସେହିପରି ଧର୍ମ ପରିବର୍ତ୍ତନ କରିଥିବା ଲୋକଙ୍କ ଚିହ୍ନଟ କରିବାକୁ ସେମାନେ ଦାବି କରି ଜିଲାପାଳଙ୍କୁ ପୃଥକ୍ ଦୁଇଟି ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ସୁନାପୋଷୀ ଗ୍ରାମର ମୁଖିଆ କାଳୁ ହାଁସଦା ଓ ଗୋପୀନାଥପୁର ଗ୍ରାମର ମୁଖିଆ ଚନ୍ଦ୍ର ଶେଖର ମାଝିଙ୍କ ନେତୃତ୍ୱରେ ଉଭୟ ଗ୍ରାମର ଅଧିବାସୀମାନେ ଦୀର୍ଘ ପ୍ରାୟ ୬୦ କିମି ଦୂର ଅତିକ୍ରମ କରି ଏହି ୫ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।