ଦୋଷୀ ବାପାଙ୍କୁ ଆଜୀବନ ଜେଲ

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): କେନ୍ଦୁଝର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ମମିତା ଦାସ ଏକ ହତ୍ୟା ମାମଲାର ରାୟ ଶୁଣାଇଛନ୍ତି। ଶୁଣାଣି କରି ପୁଅକୁ ହତ୍ୟା ଅଭିଯୋଗରେ ବାପଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ୬ ମାସ ଅତିରିକ୍ତ କାରାଦଣ୍ଡ ଶୁଣାଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ଲୁଣଘର ଗ୍ରାମର ଚେରେଙ୍ଗା ମୁଣ୍ଡା(୫୫) ସାମାନ୍ୟ ଝଗଡ଼ାକୁ କେନ୍ଦ୍ର କରି ୨୦୧୯ ନଭେମ୍ବର ୧୭ରେ ଏକ ଟାଙ୍ଗିଆରେ ପୁଅ ଘନ ମୁଣ୍ଡାଙ୍କୁ ହାଣି ହତ୍ୟା କରିଥିଲେ। ଘଟଣାକୁ ନେଇ ଅଭିଯୁକ୍ତଙ୍କ ଭାଇ ବାବୁଲା ମୁଣ୍ଡା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା(ନଂ. ୩୪୧/୧୮ନଭେମ୍ବର ୨୦୧୯) ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସମୁଦାୟ ୧୪ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଆଧାର କରି ଜଜ ଉକ୍ତ ରାୟ ଶୁଣାଇଥିବା ମାମଲା ପରିଚାଳନା କରୁଥିବା ସରକାରୀ ଓକିଲଙ୍କ ପକ୍ଷରୁ ସୂଚନା ମିଳିଛି।