Categories: ଜାତୀୟ

ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ

ନୂଆଦିଲ୍ଲୀ,୧୦ା୫: ଜଣଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀକୁ ସତ୍ୟ ଓ ସ୍ବେଚ୍ଛାକୃତ ବୋଲି କୋର୍ଟ ଗ୍ରହଣ କରିବା ପରେ ତାକୁ ଦଣ୍ଡବିଧାନର ମୌଳିକ ଆଧାର ରୂପେ ଧରାଯାଇପାରିବ। ଏଥିଲାଗି ଅନ୍ୟ ଅଧିକ ସାକ୍ଷ୍ୟ ପ୍ରମାଣର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ଦୋହରାଇଛନ୍ତି। ଏକ ହତ୍ୟା ମାମଲାରେ ତଳ କୋର୍ଟ ଅଭିଯୁକ୍ତଙ୍କୁ ମୁକ୍ତ କରିଥିବାବେଳେ କର୍ନାଟକ ହାଇକୋର୍ଟ ଉକ୍ତ ରାୟକୁ ପଲଟାଇ ଦୋଷୀ ସାବ୍ୟସ୍ତ କରିଥିଲେ। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନକୁ ହାଇକୋର୍ଟ ଗ୍ରହଣ କରିଥିଲେ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସିଜେଆଇ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ କାଏମ୍‌ ରଖିଛନ୍ତି। ଯେଉଁଠି ଜଣେ ବ୍ୟକ୍ତିଙ୍କ ବଞ୍ଚତ୍ବା ଆଶା କ୍ଷୀଣ ଥିବ, ସେ ମରିବା ପୂର୍ବରୁ ଦେଇଥିବା ବୟାନକୁ ନିର୍ଦ୍ଦିଷ୍ଟ ଭାବେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପ୍ରମାଣ ରୂପେ ଗ୍ରହଣ କରାଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି।

Share