Categories: ଜାତୀୟ

ପୁଣି ବଢ଼ିଲା: ୭ ବର୍ଷରେ ଡବଲ୍‌ ହେଲାଣି ଏଲ୍‌ପିଜି ଦର

ନୂଆଦିଲ୍ଲୀ,୧।୭: ମହାମାରୀ ସମୟରେ କ୍ରମାଗତ ବୃଦ୍ଧି ପାଉଥିବା ପେଟ୍ରୋଲ ଏବଂ ଡିଜେଲ ଦର ସାଙ୍ଗକୁ ଏଲ୍‌ପିଜ ଦର ଲୋକଙ୍କ ଉପରେ ସାଜିଲାଣି ବୋଝ ଉପରେ ନଳିତା ବିଡ଼ା। ଗୁରୁବାର ଭୁବନେଶ୍ୱରରେ ୧୪.୨ ଲିଟର ଓଜନର ଏଲ୍‌ପିଜି ସିଲିଣ୍ଡର ଦର ୨୫.୫୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ୮୬୧ ଟଙ୍କାରେ ପହଞ୍ଚିଛି ସିଲିଣ୍ଡର ଦାମ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏହି ବର୍ଗର ଏଲ୍‌ପିଜି ୮୬୦ରୁ ୯୦୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ୧୯ କିଲୋ ଗ୍ୟାସ୍‌ ସିଲିଣ୍ଡର ଦର ପ୍ରାୟ ୮୬ ଟଙ୍କା ବଢ଼ିବା ଯୋଗୁ ୧୬୭୯ ଟଙ୍କାରେ ବିକ୍ରି ହେଉଛି।

ଗତ ୬ ମାସରେ ଏଲ୍‌ପିଜି ୧୪୦ ଟଙ୍କାରୁ ଊର୍ଦ୍ଧ୍ୱ ବଢ଼ିଲାଣି। ଜୁନ୍‌ରେ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ତୈଳ ବିପଣନ କମ୍ପାନୀଗୁଡିକ ପ୍ରତି ମାସର ଆରମ୍ଭରେ ଏଲ୍‌ପିଜି ଦର ନେଇ ସମୀକ୍ଷା କରିଥାନ୍ତି। ଏହା ପରେ ଦର ହ୍ରାସ କିମ୍ବା ବୃଦ୍ଧି ହୋଇଥାଏ। ଲୋକମାନେ ବଜାର ଦର ଅନୁସାରେ ଏଲ୍‌ପିଜି ସିଲିଣ୍ଡର କିଣନ୍ତି। ଏଲ୍‌ପିଜିର ଘରୋଇ ବ୍ୟବହାର କ୍ଷେତ୍ରରେ ସରକାର କିଞ୍ଚତ୍ତ ସବ୍‌ସିଡି ପ୍ରଦାନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୭ ବର୍ଷରେ ଗ୍ୟାସ୍‌ ସିଲିଣ୍ଡର ଦର ପ୍ରାୟ ୨ ଗୁଣ ବଢ଼ିଛି। ୨୦୧୪ ମାର୍ଚ୍ଚ ୧ରେ ନୂଆଦିଲ୍ଲୀରେ ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଦର ୪୧୦.୫ ଟଙ୍କା ରହିଥିଲା। ବର୍ତ୍ତମାନ ଏହାର ଦାମ ୮୩୪.୫୦ ଟଙ୍କା।

Share