କାଙ୍ଗାଳ ହେଲାଣି ପାକିସ୍ତାନ: ସିଲିଣ୍ଡର କିଣିବା କଷ୍ଟକର, ପ୍ଲାଷ୍ଟିକ ବ୍ୟାଗ୍‌ରେ ବିକ୍ରି ହେଉଛି ରନ୍ଧନ ଗ୍ୟାସ୍‌

ଇସଲାମାବାଦ,୩୧।୧୨: ପାକିସ୍ତାନରେ ପ୍ଲାଷ୍ଟିକ ବ୍ୟାଗ୍‌ରେ ଏଲ୍‌ପିଜି ଗ୍ୟାସ୍‌ ବିକ୍ରି ଏବେ ସାଧାରଣ ହୋଇଛି। ସର୍ବାଧିକ ଗ୍ୟାସ ଉତ୍ପାଦନ କରୁଥିବା ପ୍ରଦେଶ ଖୈବର ପାଖତୁନ୍‌ଖ୍ବାରେ ଗରିବ ଲୋକମାନେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଗ୍ୟାସ୍‌ ଭର୍ତ୍ତି କରି ରୋଷେଇ କରୁଛନ୍ତି। କାରଣ ଏଠାରେ ଗ୍ୟାସ ସିଲିଣ୍ଡର ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ପାଲଟିଛି। ବିଶେଷଜ୍ଞମାନେ ଏହାକୁ ଚଳନ୍ତା ବୋମା ବୋଲି କହୁଛନ୍ତି।

ପାକିସ୍ତାନ ଏବେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ଏଲ୍‌ପିଜି କିଣିବା ସାଧାରଣଲୋକଙ୍କ ପାଇଁ ସହଜ ହୋଇ ରହିନାହିଁ। କ୍ରମାଗତ ଭାବେ ମୁଦ୍ରାସ୍ପୀତି ବୃଦ୍ଧି ପାଉଥିବାରୁ ଲୋକେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ରନ୍ଧନ ଗ୍ୟାସ ବିକ୍ରି ଏବଂ କିଣିବାକୁ ବାଧ୍ୟ ହେଉଛନ୍ତି।

ଅପରପକ୍ଷେ ପାକିସ୍ତାନରେ ମୁଦ୍ରାସ୍ପୀତି ବୃଦ୍ଧି ପାଉଥିବା ଯୋଗୁ ଗ୍ୟାସ ଭଣ୍ଡାର ହ୍ରାସ ପାଉଛି। ଗ୍ୟାସର ଅଭାବ ଏବଂ ରନ୍ଧନ ଗ୍ୟାସ ତଥା ପେଟ୍ରୋଲିୟମ ଉତ୍ପାଦଗୁଡ଼ିକର ଦରବୃଦ୍ଧି ଯୋଗୁ ଲୋକେ ଏଭଳି ଉପାୟରେ ସେଗୁଡ଼ିକୁ କିଣୁଥିବା କୁହାଯାଉଛି। ସିଲିଣ୍ଡରଗୁଡ଼ିକ ମହଙ୍ଗା ହୋଇଥିବାବେଳେ ପ୍ଲାଷ୍ଟିକ୍‌ ପଲିଥିନରେ ଗ୍ୟାସ ୫୦୦ରୁ ୯୦୦ ଟଙ୍କା ମଧ୍ୟରେ ମିଳୁଛି। ଏହାର ମୂଲ୍ୟ ପଲିଥିନର ଆକାର ଉପରେ ନିର୍ଭର କରୁଛି। ଏକ ରିପୋର୍ଟ ମୁତାବକ, ସାଧାରଣ ଗ୍ୟାସ ସିଲିଣ୍ଡର ପାକିସ୍ତାନରେ ପ୍ରାୟ ୧୦,୦୦୦ ଟଙ୍କାରେ ମିଳୁଛି, ଯାହା କିଣିବା ସମସ୍ତଙ୍କ ପକ୍ଷେ ଅସମ୍ଭବ।

Share