ଛତ୍ରପୁର,୧୩।୯(ସନ୍ତୋଷ ପାଢ଼ୀ): ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା (ଓସ୍ଡମା) ତରଫରୁ ଜିଲା ପରିଷଦସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଡେପୁଟି କଲେକ୍ଟର(ଜରୁରୀ କାଳିନ) ଆୟୁସୀ ପତି ସମସ୍ତଙ୍କୁ ସ୍ବାଗତ କରିବା ସହ ଏହି ଶିବିରର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ବିପର୍ଯ୍ୟୟ ପରିଚାଳନାରେ ଆଗୁଆ ପ୍ରସ୍ତୁତ, ପଦକ୍ଷେପ ଏବଂ କାର୍ଯ୍ୟଶୈଳୀ ପାଇଁ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଥିବା ଅତିରିକ୍ତ ଜିଲାପାଳ ପୃଷ୍ଟି ପ୍ରକାଶ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶାସନିକ ପ୍ରସ୍ତୁତି ମଧ୍ୟରେ ଉତ୍ତମ ଯୋଗାଯୋଗ ଓ ସୁପରିଚାଳନା କରିପାରିଲେ ଏହାର ସୁଫଳ ପାଇପାରିବା। ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟ କରୁଥିବା ବିପର୍ଯ୍ୟୟ ବନ୍ଧୁଙ୍କୁ ୧୨ଦିନିଆ ତାଲିମ ଦିଆଯାଇଛି। ତୃଣମୂଳସ୍ତରରେ ସଚେତନ କରିପାରିଲେ ବିପର୍ଯ୍ୟୟରୁ ପ୍ରତ୍ୟେକ ନିଜକୁ ସୁରକ୍ଷିତ ରଖିପାରିବେ। ସ୍ବୟଂସିଦ୍ଧା କାର୍ଯ୍ୟକ୍ରମ ଜରିଆରେ ପ୍ରତି ଗ୍ରାମ ପଞ୍ଚାୟତରେ ୧୫ରୁ ୨୦ ଜଣ ମହିଳାଙ୍କୁ ତାଲିମ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ସେମାନେ ତୁରନ୍ତ ପହଞ୍ଚି ଲୋକମାନଙ୍କୁ ସୁରକ୍ଷା ନିମନ୍ତେ ପ୍ରବର୍ତ୍ତାଇବେ ବୋଲି ପୃଷ୍ଟି ପ୍ରକାଶ କରିଥିଲେ। ସମ୍ଭାବ୍ୟ ବନ୍ୟା, ବାତ୍ୟା ଭଳିସ୍ଥିତି ଉପୁଜିବା ପ୍ରାକ ପ୍ରସ୍ତୁତି , ବିପର୍ଯ୍ୟୟ ସମୟରେ ଓ ପରେ ଏହାର ମୁକାବିଲା, ଉଦ୍ଧାର ଓ ଥଇଥାନ କିପରି ବ୍ୟବସ୍ଥିତ ଭାବେ ପରିଚାଳନା କରି ଜନ ସାଧାରଣଙ୍କ ଧନଜୀବନ କିପରି ସୁରକ୍ଷିତ କରାଯାଇ ପାରିବ ସେ ସମ୍ବନ୍ଧରେ ଓସଡମାର ସିଜିଏମ ଡ. ସୁନିତା ଜେନା ବିସ୍ତୃତ ଭାବେ ବୁଝାଇଥିଲେ । ବାତ୍ୟା, ବନ୍ୟା, ମରୁଡି, ସୁନାମୀ, ସାପକାମୁଡ଼ା, ବଜ୍ରପାତ, ଅଂଶୁଘାତ, କାଳବୈଶାଖୀ ଆଦି ବିପର୍ଯ୍ୟୟ ସମୟରେ ଦେଖାଯାଉଥିବା ସମସ୍ୟା ଗୁଡିକୁ ଚିହ୍ନଟ କରି ସେଗୁଡିକର ସମାଧାନ କରିପାରିଲେ ଏହାର ସୁଫଳ ସମସ୍ତେ ପାଇପାରିବେ । ଉଚିତ୍ ସମୟରେ ଠିକ ପଦକ୍ଷେପ ନେଲେ ଯେତେ ବିପର୍ଯ୍ୟୟ ଆସିଲେ ମଧ୍ୟ ଆମେ ତାକୁ ମୁକାବିଲା କରିପାରିବା। ବ୍ଲକର ସମସ୍ତ ନୋଡାଲ ଅଧିକାରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଭୟଭୀତ ନ ହୋଇ ବିପଦସଙ୍କୁଳ ଅବସ୍ଥାରେ ଥିବା ଜନସାଧାରଣଙ୍କୁ ଠିକ ସୂଚନା ପ୍ରଦାନ କରି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ଜେନା ପରାମର୍ଶ ଦେଇଥିଲେ । ରାଜ୍ୟ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ବନ୍ୟା ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ଜନ ସାଧାରଣ ଧନଜୀବନକୁ କିପରି ରକ୍ଷା କରିପାରିବେ ତାହା ଏହି ତାଲିମ ଶିବିରର ମୂଳଲକ୍ଷ୍ୟ ବୋଲି ସେ କହିଥିଲେ ।