ଅଭାବୀ ବିକ୍ରିର ଶିକାର ହେଉଛନ୍ତି ମକାଚାଷୀ

କୋକସରା,୨୧।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ପର୍ଯ୍ୟାପ୍ତ ମାତ୍ରାରେ ମକାଚାଷ ବିଗତ କିଛିବର୍ଷ ହେବ କରାଯାଉଛି। କୋକସରା ବ୍ଲକର ଅନେକ ପଞ୍ଚାୟତରେ ଧାନ ଚାଷ ପାଇଁ ଜଳସେଚନର କୌଣସି ସୁବିଧା ନ ଥିବା ବେଳେ ମକାଚାଷ ସ୍ବଳ୍ପ ବୃଷ୍ଟିପାତରେ ହେଉଥିବା କାରଣରୁ ଅଣ ଜଳସେଚିତ ଗୋତୋମୁଣ୍ଡା, ସାନ ପୋ ଆମପାଣି, ବଡ଼ ପୋ ମହିମା ପଞ୍ଚାୟତକୁ ଲାଗି ରହିଥିବା ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ଅନେକ ଚାଷୀମାନେ ମକାଚାଷକୁ ଜୀବନ ଜୀବିକା ଭାବେ ବାଛି ନେଇଛନ୍ତି। ତେବେ ଅମଳ ହୋଇଥିବା ମକା ବିକ୍ରି କରିବା ପାଇଁ ସରକାରୀ ସ୍ତରରେ କୌଣସି ବଜାର ବ୍ୟବସ୍ଥା ନ ଥିବା କାରଣରୁ ପଡୋଶୀ ଜିଲା ନବରଙ୍ଗପୁର, ଉମରକୋଟ ଅଞ୍ଚଳର ବିହାରୀ, ବଙ୍ଗାଳି ଦଲାଲମାନେ କିମ୍ବା ସ୍ଥାନୀୟ କିଛି ଲାଭଖୋର ଅଣ ଓଡିଆ ସାହୁକାରଙ୍କୁ ସରକାରୀ ଧାର୍ଯ୍ୟ ଦରରୁ କମ ଦରରେ ମକା ବିକ୍ରି କରୁଥିବା କହିଛନ୍ତି ଚାଷୀ। ବ୍ଲକ କୃଷି ବିଭାଗରୁ ମିଳିଥିବା ସୂଚନା ମତେ କୋକସରା ବ୍ଲକରେ ମୋଟ ୧୮ ଶହ ହେକ୍ଟର ଜମିରେ ମକାଚାଷ ହୋଇଥିବା ବେଳେ ଚାଷୀଙ୍କୁ କୃଷି ବିଭାଗ ପକ୍ଷରୁ ମକା ବିହନ ଯୋଗାଇ ଦିଆଯାଇଛି ଓ ମକା ମଣ୍ଡି ଖୋଲିବାକୁ ଜିଲ୍ଲା ପ୍ରଶାସନ ନିକଟରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି ବୋଳି ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ କହିଛନ୍ତି। ତେବେ ବ୍ଲକରେ ବେସରକାରୀ ଭାବେ ୫ ହଜାରରୁ ଉର୍ଦ୍ଧ ହେକ୍ଟର ଜମିରେ ମକାଚାଷ ହୋଇଥିବା ଜଣା ପଡିଛି। ମକା ବିକ୍ରି ପାଇଁ ସରକାରୀ ସ୍ତରରେ କୌଣସି ବଜାର ବ୍ୟବସ୍ଥା କିମ୍ବା ମଣ୍ଡି ନାହିଁ ଫଳରେ ଚାଷି ଅମଳ କରିବା ପରେ ମକାକୁ ୧୬ଶହ ରୁ ୧୭ଶହ ଟଙ୍କା ଦରରେ ଦଲାଲଙ୍କ ଜରିଆରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି। ଏନେଇ ଧର୍ମଗଡ଼ ବିଧାୟକ ମୋଷଧି ବାଗଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଆଗାମୀ ଦିନରେ ମକାଚାଷୀଙ୍କ ବିକ୍ରି ସୁବିଧା ପାଇଁ ବଜାର ବ୍ୟବସ୍ଥା କରିବାକୁ ମୁଁ ରାଜ୍ୟ ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଛନ୍ତି।

Share