କରୋନା ଆକ୍ରାନ୍ତ ଡାକ୍ତର କରୁଛନ୍ତି ରୋଗୀଙ୍କ ଚିକିତ୍ସା

ଜୟପୁର, ୨।୯: କରୋନା ମହାମାରୀ ସମୟରେ ରାଜସ୍ଥାନର ବିକାନେର ସହରରୁ ଏକ ଚରମ ଅବହେଳାର ବଡ଼ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ରୋଗୀଙ୍କ ପରୀକ୍ଷା କରୁଛନ୍ତି। ସେହିଭଳି ଡାକ୍ତରମାନଙ୍କ ବୈଠକରେ ମଧ୍ୟ ସେ ଅଂଶଗ୍ରହଣ କରୁଛନ୍ତି। ତେବେ ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା ସେତେବେଳେ ଡିସପେନସାରୀ ପରିସରରେ ଆତଙ୍କ ସୃଷ୍ଟି ହୋଇଥିଲା। ଡାକ୍ତରମାନେ ଏହି ଘଟଣାକୁ ଗୁରୁତର ନେଇଛନ୍ତି। ସିଏମ୍‌ଏଚ୍‌ଓ ସେହି କରୋନା ଆକ୍ରାନ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
୨ ନମ୍ବର ଡିସପେନସାରୀରେ ଏହି ଘଟଣା ଘଟିଥିଲା। ଜଣେ ରୋଗୀ ଓ ତାଙ୍କ ପରିବାର ପ୍ରଥମେ ଏହି କଥା ଜାଣିପାରିଥିଲେ ଯେ, ଯେଉଁ ଡାକ୍ତର ତାଙ୍କ ପରୀକ୍ଷା କରୁଛନ୍ତି ସେ ନିଜେ କରୋନା ଆକ୍ରାନ୍ତ। ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସାଧାରଣ ଲୋକଙ୍କ ଜୀବନ ସହ ଡାକ୍ତରଜଣଙ୍କ ଖେଳୁଛନ୍ତି ବୋଲି ଲୋକ ଅଭିଯୋଗ କରିଥିଲେ। ସୂଚନା ମୁତାବକ, ସେହି ଡାକ୍ତର ଜଣଙ୍କ ରିପୋର୍ଟ ନିକଟରେ କରୋନା ପଜିଟିଭ ଆସିଥିଲେ ମଧ୍ୟ ସେ ଏନେଇ କାହାକୁ ଜଣାଇ ନ ଥିଲେ ଏବଂ ପୂର୍ବଭଳି ଚିକିତ୍ସା ଜାରି ରଖିଥିଲେ।

Share