କୋଟା, ୨।୯: କରୋନା ସଙ୍କଟ କାଳରେ ମଙ୍ଗଳବାରଠାରୁ ସାରା ଦେଶରେ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହୋଇଯାଇଛି। ଏହି ପରୀକ୍ଷା ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ୬୬୦ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। କରୋନା ସଂକ୍ରମଣ ସମୟରେ ଅନୁଷ୍ଠିତ ହେଉଥିବା ସବୁଠାରୁ ବଡ଼ ପରୀକ୍ଷାରେ ଏକ ଅଘଟଣ ଦେଖିବାକୁ ମିଳିଛି। ରାଜସ୍ଥାନର ଶିକ୍ଷାର ସହର କୋଟାରେ ଏକ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଜଣେ କରୋନା ଆକ୍ରାନ୍ତ ଛାତ୍ର ପ୍ରବେଶ କରିଯାଇଥିଲେ। ତେବେ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ଅଧିକାରୀ ତାଙ୍କର ପରୀକ୍ଷା ପରେ କରାଯିବ ବୋଲି କହି ସେହି ଛାତ୍ରଙ୍କୁ ଫେରାଇ ଦେଇଥିଲେ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)ର ଆଡ୍ଭାଜରୀ ଓ ଆଡ୍ମିଡ୍ କାର୍ଡରେ କରୋନା ପଜିଟିଭ ଛାତ୍ରୀଛାତ୍ର ଆସିବା ଉଚିତ ନୁହେଁ ବୋଲି କୌଣସିଠାରେ ମଧ୍ୟ ସୂଚନା ଦିଆଯାଇ ନାହିଁ। ଏହି ଘଟଣା ପରେ ଏବେ କରୋନା ଆକ୍ରାନ୍ତ ଛାତ୍ରୀଛାତ୍ର ପରୀକ୍ଷା କେନ୍ଦ୍ରକୁ ଆସିବା ଜରୁରୀ ନୁହେଁ ବୋଲି କେନ୍ଦ୍ରରେ ସୂଚିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଯଦି କିଏ ସଂକ୍ରମିତ ରହିଛନ୍ତି ତେବେ ଆଡ୍ମିଡ୍ କାର୍ଡ ସହ କରୋନା ପଜିଟିଭ ରିପୋର୍ଟ ପରୀକ୍ଷା କେନ୍ଦ୍ରକୁ ପଠାଇ ପାରିବେ।