କରୋନା ସଙ୍କଟରେ ରାଜଧାନୀ: ପଜିଟିଭିଟି ହାର ୪.୩୮ ପ୍ରତିଶତ

ନୂଆଦିଲ୍ଲୀ,୧୧।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି କମ୍‌ ପରୀକ୍ଷଣ ହେତୁ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ୮୦୦କୁ ଖସିଆସିଥିଲା। କିନ୍ତୁ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୧,୧୧୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାଜନିତ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଗତ ୨୪ଘଣ୍ଟା ମଧ୍ୟରେ ୧,୦୧୫ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ପରୀକ୍ଷଣର ଗତିକୁ ବୃଦ୍ଧି କରାଯାଇଛି। ମଙ୍ଗଳବାର ଦିଲ୍ଲୀରେ ୧୬ହଜାରରୁ ଅଧିକ ଲୋକଙ୍କ ପରୀକ୍ଷା କରାଯାଇଥିଲା। ସେହିପରି ବୁଧବାର ପରୀକ୍ଷଣର ଗତିକୁ ଆହୁରି ତ୍ୱରାନିତ୍ୱ କରାଯାଇ ୨୫,୫୨୮ ଟେଷ୍ଟ କରାଯାଇଛି। ଏଥିରେ ଆରଟିପିସିଆର ସଂଖ୍ୟା ୧୫,୬୦୯ ଥିବା ବେଳେ ଆଣ୍ଟିଜେନ ୯,୯୧୯ ରହିଛି। କରୋନା ପରୀକ୍ଷଣରେ ବୃଦ୍ଧି ସହିତ ଦିଲ୍ଲୀରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଛି। ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ଅତିକ୍ରମ କରିଥିବା ବେଳେ ରାଜ୍ୟରେ ପଜିଟିଭିଟି ହାର ୪.୩୮ ପ୍ରତିଶତକୁ ବୃଦ୍ଧି ପାଇଛି।

Share