୪ ରାଜ୍ୟର ବିଭିନ୍ନ ସ୍କୁଲରେ କରୋନା ବିସ୍ଫୋରଣ, ୮୧  ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୩।୧୨: ଦେଶର ୧୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳ ୪ ରାଜ୍ୟର ବିଭିନ୍ନ ସ୍କୁଲରେ କରୋନା ବିସ୍ଫୋରଣ ଘଟିଛି। ଏସବୁ ସ୍କୁଲରେ ୮୧ ଜଣ ପିଲାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।

ସେଥିମଧ୍ୟରୁ ହିମାଚଳର ବିଲାସପୁରରେ ୨୩ ଜଣ, ପଶ୍ଚିମବଙ୍ଗର ନଦିଆ ଜିଲାରେ ୨୯ ଜଣ, ହରିୟାଣାର ଅମ୍ବାଲାରେ ଚାରିଜଣ ଛାତ୍ରଙ୍କ ସହିତ ୭ ଜଣ ଏବଂ ପଞ୍ଜାବର ଜଲନ୍ଧରରେ ୨୫ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତିି।

ବୁଧବାର ହିମାଚଳ ପ୍ରଦେଶର ବିଲାସପୁର ଜିଲାର ଭୁଲସ୍ବାଏଁ ଗ୍ରାମରେ କରୋନା ସଂକ୍ରମଣ ଯୋଗୁ ଜଣଙ୍କର ମୃତ୍ୟୁ ଘଟିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏଥି ସହିତ ଜିଲାର ଡେଲାଗଠାରେ ଥିବା ଏକ ସରକାରୀ ହାଇସ୍କୁଲର ୨୩ ପିଲାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ ଆସିଛି।

ସରକାରୀ ହାଇସ୍କୁଲ, ଡେଲାଗରେ ୫୦ ପିଲାଙ୍କ ନମୁନା ନିଆଯାଇଥିଲା। ସେଥିମଧ୍ୟରୁ ୨୩ ପିଲାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି। ପ୍ରାଥମିକ ବିଦ୍ୟାଳୟର ୭୦ ପିଲାଙ୍କ ନମୁନା ମଧ୍ୟ ନିଆଯାଇଛି, ଯାହାର ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରବୀଣ ଚୌଧରୀ କହିଛନ୍ତି ଯେ ବର୍ତ୍ତମାନ ସମସ୍ତ ବିଦ୍ୟାଳୟରେ ପିଲାମାନଙ୍କର କରୋନା ପରୀକ୍ଷା କରାଯାଉଛି।

ପଶ୍ଚିମବଙ୍ଗରେ ନବୋଦୟ ବିଦ୍ୟାଳୟର ୨୯ ଜଣ ଛାତ୍ରଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନେ କଲ୍ୟାଣୀର ଜବାହର ନବୋଦୟ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର।

ହରିୟାଣାର ଅମ୍ବାଲାର ଚାରିଜଣ ଛାତ୍ରଙ୍କ ସମେତ ୭ ଜଣଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।
ପଞ୍ଜାବର ଜଲନ୍ଧରରେ ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ ତିନି ଦିନ ମଧ୍ୟରେ ବିଭିନ୍ନ ବିଦ୍ୟାଳୟରେ ଆକ୍ରାନ୍ତ ଛାତ୍ରମାନଙ୍କୁ ଚିହ୍ନଟ କରାଯାଇଛି।

Share