ତିହାର ଜେଲ୍‌ରେ କରୋନା ବୋମା: ୧୯୦କଏଦୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୪।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଦିଲ୍ଲୀର ସବୁଠାରୁ ବଡ଼ ତିହାର ଜେଲ୍‌ରେ ଏଯାଏଁ ୧୯୦ କଏଦୀ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ତିହାର ଜେଲ୍‌ରେ ଏପର୍ଯ୍ୟନ୍ତ ମୋଟ ୧୯୦ଜଣ କଏଦୀ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସେଥିରୁ ୧୨୧ଜଣ ସୁସ୍ଥ ହୋଇଛନ୍ତି। ହେଲେ ଏବେ ବି ୬୭ଜଣ ଆକ୍ଟିଭ ରହିଛନ୍ତି। ଅନ୍ୟପଟେ ୩୦୪ଜଣ ଜେଲ୍‌ କର୍ମଚାରୀ ମଧ୍ୟ ଏହା କବଳରୁ ବର୍ତ୍ତି ପାରିନାହାନ୍ତି। ସେମାନଙ୍କ ମଧ୍ୟରୁ ୨୯୩ ସୁସ୍ଥ ହୋଇଥିବା ବେଳେ ଏବେ ବି ୧୧ଜଣ କର୍ମଚାରୀ ଅସୁସ୍ଥ ଅଛନ୍ତି। କୁହାଯାଉଛି ତିହାର ଜେଲ୍‌ର କଏଦୀଙ୍କ ମଧ୍ୟରେ କରୋନା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ସ୍ଥିତି ଏଭଳି ଗମ୍ଭୀର ହୋଇପଡ଼ିଛି ଯେ, ଗୋଟିଏ ସପ୍ତାହରେ କରୋନା ସଂକ୍ରମିତ ହୋଇଥିବା କଏଦୀ ଓ ଜେଲ୍‌ କର୍ମଚାରୀଙ୍କ ସଂଖ୍ୟା ୫ଗୁଣା ବୃଦ୍ଧି ପାଇଛି।

Share