ଗତ ୨୪ଘଣ୍ଟାରେ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨୭,୧୧୪ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୧୧।୭: ଦେଶରେ କରୋନା ସ୍ଥିତି ସଂଘାତିକ ହେବାରେ ଲାଗିଛି। ପୂର୍ବାପେକ୍ଷା ପ୍ରତିଦିନ ନୂଆ ନୂଆ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଆମେରିକା, ବ୍ରାଜିଲ ପରେ ଏବେ ଭାରତ ତୃତୀୟ ସର୍ବାଧିକ ସଂକ୍ରମିତ ଦେଶ ଭାବେ ପରିଗଣିତ ହୋଇଛି। ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟାରେ ୨୭ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୫୧୯ଜଣଙ୍କ ମୃତ୍ୟୁ ଘଟିଛି। ଯାହା ସମସ୍ତ ରେକର୍ଡକୁ ଭାଙ୍ଗିଥିବା କୁହାଯାଉଛି। ତେବେ ନୂଆ ଚିହ୍ନଟଙ୍କୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ଟପିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଦେଶରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୨୦ ହଜାର ୯୧୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫ ଲକ୍ଷ ୧୫ ହଜାର ସୁସ୍ଥ ହୋଇଥିବା ବେଳେ ୨୨,୧୨୩ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Share