ରେକର୍ଡ ଭାଙ୍ଗୁଛି କରୋନା: ଦିନକୁ ୮୦ ହଜାର ହେବାକୁ ଯାଉଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ଶ୍ରୀନଗର, ୩୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ୮୦ ହଜାର ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭୯ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏହି ସମୟ ମଧ୍ୟରେ ୯୭୧ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଲକ୍ଷ ୨୧ ହଜାର ୨୬୪ ଛୁଇଁଛିି। ସେହିପରି ମୃତକଙ୍କ ସଂଖ୍ୟା ୬୪ ହଜାର ୪୬୯ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ୨୭ ଲକ୍ଷ ୭୪ ହଜାର ୮୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୭ ଲକ୍ଷ ୮୧ ହଜାର ୯୭୫ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଅଗଷ୍ଟ ୩୦ ସୁଦ୍ଧା ଦେଶରେ ୪ କୋଟି ୨୩ ଲକ୍ଷ ୭ ହଜାର ୯୧୪ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ୮ ଲକ୍ଷ ୪୬ ହଜାର ୨୭୮ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

Share