କରୋନା ପୁଣି ଭାଙ୍ଗିଲା ରେକର୍ଡ

ନୂଆଦିଲ୍ଲୀ, ୧୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଗୁରୁବାର ଏହା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୬ ହଜାର ୯୯୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୯୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ୬୩୮ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୪୭ ହଜାର ୩୩ ଛୁଇଁଛି। ଗୁରୁବାର ସୁଦ୍ଧା ୧୬ ଲକ୍ଷ ୯୫ ହଜାର ୯୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୬ ଲକ୍ଷ ୫୩ ହଜାର ୬୨୨ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୧୨ ସୁଦ୍ଧା ଦେଶରେ ୨ କୋଟି ୬୮ ଲକ୍ଷ ୪୫ ହଜାର ୬୮୮ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ବୁଧବାର ଗୋଟିଏ ଦିନରେ ୮ ଲକ୍ଷ ୩୦ ହଜାର ୩୯୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି।

Share