ନୂଆଦିଲ୍ଲୀ, ୨୭।୮: କରୋନା ମହାମାରୀ ସଂକ୍ରମଣ କେବଳ ଫୁସଫୁସ୍ ନୁହେଁ ଏହା ଶରୀରର ସମସ୍ତ ଅଙ୍ଗକୁ ଅକାମୀ କରିଦେଇ ପାରେ ବୋଲି ଏମ୍ସ୍ର ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ତେବେ ସାମାନ୍ୟ, ମଧ୍ୟମ ଏବଂ ଗୁରୁତର କରୋନା ଲକ୍ଷଣ ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଅଙ୍ଗ ଅକାମୀ ହେବା ମଧ୍ୟ ଭିନ୍ନ ଭିନ୍ନ ହୋଇପାରେ ବୋଲି ଏମ୍ସ୍ର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ ସୂଚନା ଦେଇଛନ୍ତି। ସେହିପରି ନ୍ୟୁରୋଲୋଜି ଏଚ୍ଓଡି ଡ. ଏମ୍.ଭି. ପଦ୍ମ ଶ୍ରୀବାସ୍ତବ, କାର୍ଡିଓଲୋଜି ପ୍ରଫେସର ଡ. ଅମ୍ବୁଜ ରାୟ ଏବଂ ସହକାରୀ ପ୍ରଫେସର ଡ. ନୀରଜ ନିଶ୍ଚଳ ମଧ୍ୟ ସମାନ ମତପୋଷଣ କରିଛନ୍ତି। ନୀତି ଆୟୋଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ସାପ୍ତାହିକ ଆଲୋଚନା ଚକ୍ର ‘ ନ୍ୟାଶନାଲ୍ କ୍ଲିନିକାଲ୍ ଗ୍ରାଣ୍ଡ୍ ରାଉଣ୍ଡସ୍’ରେ ଯୋଗଦେଇ ଏମ୍ସ୍ର ବିଶେଷଜ୍ଞ ଏଭଳି କହିଛନ୍ତି। କରୋନା ଭୂତାଣୁ ଫୁସଫୁସ୍ରେ ସଂକ୍ରମଣ କରିବା ପରେ ଧୀରେଧୀରେ ଏହା ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପୀଥାଏ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।