ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଦିଲ୍ଲୀରେ ସଂକ୍ରମଣ ବଢୁଥିବାରୁ ଆଗକୁ ଓଡ଼ିଶା ପ୍ରତି ବି ବିପଦ ରହିଛି। ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁବାର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ରାଜ୍ୟ ସରକାର କୋଭିଡ୍ ମୁକାବିଲା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ରହିଛି। ଆମ ପାଖରେ ଔଷଧ ଓ ଅକ୍ସିଜେନ ମଧ୍ୟ ମହଜୁଦ୍ ରହିଛି। ରାଜ୍ୟ ସରକାର କରୋନା ସହ ଲଢ଼େଇ ପାଇଁ ପ୍ରସ୍ତୁତ ରହିଛନ୍ତି।
ସେ ଆହୁରି କହିଛନ୍ତି, ସ୍ଥିତି ଉପରେ ନଜର କରାଯାଇଛି। ସବୁ ଜିଲାକୁ ସ୍ଥିତି ଉପରେ କଡ଼ା ନଜର ରଖିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ସଂକ୍ରମଣ ବଢ଼ିଲେ ହସ୍ପିଟାଲ ତୁରନ୍ତ ଖୋଲାଯିବ। ଟିକାକରଣ ବଢ଼ାଯାଉଛି। ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ କଟକଣା ମାନିବାକୁ ପଡ଼ିବ। ଭିଡ଼ ସ୍ଥାନରେ ମାସ୍କ ପିନ୍ଧନ୍ତୁ। ସାମାଜିକ ଦୂରତା ଅବଲମ୍ବନ କରନ୍ତୁ। ଦରକାର ନ ଥିଲେ ଘରୁ ବାହାରିବା ଉଚିତ୍ ନୁହେଁ।