୧୦୦ ଦିନ ମଧ୍ୟରେ ପୁଣି ଥରେ ସୁସ୍ଥ ଆକ୍ରାନ୍ତଙ୍କୁ ହୋଇପାରେ କରୋନା ସଂକ୍ରମଣ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ, ୧୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି ଯେ, କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ୧୦୦ ଦିନ ମଧ୍ୟରେ ପୁଣି ଥରେ ସଂକ୍ରମଣ ହେବାର ଆଶଙ୍କା ରହିଛି। ଦେଶରେ ଇତିମଧ୍ୟରେ ଏଭଳି ୩ଟି ଘଟଣା ଘଟିଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି। ସେହିପରି ପୃଥିବୀରେ ଏଭଳି ୨୪ଟି ଘଟଣା ନଜରକୁ ଆସିଛି। ମୁମ୍ବାଇରେ ୨ଜଣ ଏଭଳି ଆକ୍ରାନ୍ତ ଥିବାବେଳେ ଅହମଦାବାଦରେ ଜଣେ ରହିଛନ୍ତି। ପ୍ରଥମ ସଂକ୍ରମଣ ତୁଳନାରେ ଦ୍ୱିତୀୟ ଥର ଆକ୍ରାନ୍ତ ହେଲେ ଗୁରୁତର ଲକ୍ଷଣ ପ୍ରକାଶ ପାଇବାର ଯଥେଷ୍ଟ ଆଶଙ୍କା ଥିବା ଲାସେଣ୍ଟ୍‌ ଇନଫେକ୍‌ସିଅସ୍‌ ଡିଜିଜ୍‌ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଆମେରିକାରେ ଏଭଳି ଅଧିକ ଆଶଙ୍କା ରହିଥିବା ରିପୋର୍ଟରେ କୁହାଯାଇଛି। ସେହିପରି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ୯୦ରୁ ୧୦୦ ଦିନ ମଧ୍ୟରେ ଦ୍ୱିତୀୟ ଥର ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ସୂଚନାଯୋଗ୍ୟ,ଏଭଳି ଘଟଣା ପ୍ରଥମେ ହଂଙ୍କରେ ମାର୍ଚ୍ଚରେ ଦେଖିବାକୁ ମିଳିଥିଲା। ୩୩ ବର୍ଷ ବୟସ୍କା ଜଣେ ମହିଳା ସୁସ୍ଥ ହେବାର ୪ ମାସ ପରେ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଥିଲେ।

Share