Advertisement

ବୁଧବାର ୧୫ ଲକ୍ଷ ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୨୮।୭: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ଥମୁ ନ ଥିବାରୁ ସରକାରଙ୍କ ଚିନ୍ତା ବୃଦ୍ଧି ପାଉଛି। ବୁଧବାର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ଟପିବାର ଆଶଙ୍କା ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏବେ ଲଗାତାର ୬ ଦିନ ଧରି ୪୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୮୩ ହଜାର ୧୫୭ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩୩ ହଜାର ୪୨୫ ଛୁଇଁଛି। ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ୬୫୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ୯ ଲକ୍ଷ ୫୨ ହଜାର ୭୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୪ ଲକ୍ଷ ୯୬ ହଜାର ୯୮୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା କୋଟିଏ ୭୩ ଲକ୍ଷ ୩୪ ହଜାର ୮୮୫ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ଜୁଲାଇ ୨୭ରେ ୫ ଲକ୍ଷ ୨୮ ହଜାର ୮୨ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share