ଲଗାତର ୩ ଦିନ ପରେ ମୁମ୍ବାଇରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ

ମୁମ୍ବାଇ,୧୯।୨: ମହାରାଷ୍ଟ୍ରରେ କିଛି ଦିନ ହେବ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଲଗାତର ଭାବେ ରାଜ୍ୟରେ କରୋନା ଗ୍ରାଫ୍‌ ତଳକୁ ଖସୁଥିବାର ଦେଖିବାକୁ ମିଳିଛି। ଶୁକ୍ରବାର ମହାରାଷ୍ଟ୍ରରେ ମୋଟ ୨ହଜାର ୬୮ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ରାଜ୍ୟରେ ସକ୍ରିୟ ମାମଲା ୨୧ ହଜାର ୧୫୯ ରହିଛି। ଏତଦ୍‌ ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ ଜନିତ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୩ ହଜାର ୫୪୭କୁ ବୃଦ୍ଧି ପାଇଛି। ସେହିପରି ମୁମ୍ବାଇରେ ଗତ ୨୪ଘଣ୍ଟାରେ ୨୦୨ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ୩୬୫ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ମୁମ୍ବାଇରେ ୧୭୬୦ ସକ୍ରିୟ ମାମଲା ରହିଛି। ମୁମ୍ବାଇରେ ସୁସ୍ଥତା ହାର ବର୍ତ୍ତମାନ ୯୮ ପ୍ରତିଶତ ରହିଥିବା ଜଣାପଡ଼ିଛି। ଏଥିସହ ଫେବୃଆରୀ ୧୧ରୁ ୧୭ ମଧ୍ୟରେ ଅଭିବୃଦ୍ଧି ହାର ୦.୦୩ ପ୍ରତିଶତକୁ ବୃଦ୍ଧି ପାଇଛି। ବିଏମସି ଅନୁଯାୟୀ, ମୁମ୍ବାଇରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ୩୩ ହଜାର ୮୬୨ ଲୋକ ସଂକ୍ରମଣ ମୁକ୍ତ ହୋଇଥିବା ବେଳେ ବର୍ତ୍ତମାନ ମୋଟ ୮୩୮ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ସେଥିମଧ୍ୟରୁ ୪୨୨ ଜଣ ଅକ୍ସିଜେନ ସପୋର୍ଟରେ ଅଛନ୍ତି।

Share