ପୁଣି ଦିଲ୍ଲୀ-ମୁମ୍ବାଇରେ ବଢ଼ୁଛି କରୋନା ମିଟର

ନୂଆଦିଲ୍ଲୀ/ମୁମ୍ବାଇ,୧୫।୬: ଦେଶରେ କରୋନା ଭାଇରସ୍‌ ଏବେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଯାହା ଏବେ ସରକାରଙ୍କ ଚିନ୍ତାର କାରଣ ପାଲଟିଛି। କୋଭିଡର ପୂର୍ବ ଲହର ଭଳି ଦିଲ୍ଲୀ ଏବଂ ମୁମ୍ବାଇର ଅବସ୍ଥା ପୁଣି ଥରେ ଖରାପ ହେବାରେ ଲାଗିଛି। ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ୧ହଜାରରୁ ଉର୍ଦ୍ଧ୍ୱ ଓ ମୁମ୍ବାଇରେ ୧୭୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିଯୋଗୁ ବୁଧବାର ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ କୋଭିଡ ମାମଲା ସହିତ ସଂକ୍ରମଣ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାର ସଂକ୍ରମଣ ହାର ୬.୫୦ପ୍ରତିଶତରେ ପହଞ୍ଚିଛି। ମଙ୍ଗଳବାର ଦିଲ୍ଲୀରେ ୧,୧୧୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହା ପୂର୍ବ ଦିନର ସଂଖ୍ୟା ତୁଳନାରେ ୮୨ପ୍ରତିଶତ ଅଧିକ ରହିଥିଲା। ଦିଲ୍ଲୀରେ କ୍ରମାଗତ ପଞ୍ଚମ ଦିନରେ ୬୦୦ରୁ ଅଧିକ ମାମଲା ଚିହ୍ନଟ ହେଉଛି। ଫଳରେ ଦିଲ୍ଲୀରେ କୋଭିଡ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଉପରାଜ୍ୟପାଳ ଭି.କେ ସାକ୍ସେନା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସମସ୍ତ ପଜିଟିଭ୍‌ ନମୁନାଗୁଡ଼ିକର ଜିନୋମ ସିକ୍ୱେନ୍ସିଂ କରାଯିବ। ସେହିପରି ଆର୍ଥିକ ରାଜଧାନୀ ମୁମ୍ବାଇରେ ମଙ୍ଗଳବାର ରାତି ପର୍ଯ୍ୟନ୍ତ ୧,୭୨୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ସମଗ୍ର ମହାରାଷ୍ଟ୍ରରେ ୨,୯୫୬ଜଣ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ମୁମ୍ବାଇର ସଂଖ୍ୟା ସର୍ବାଧିକ ରହିଥିଲା। ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ପ୍ରାୟ ୧୮ହଜାରରେ ପହଞ୍ଚିଛି। ମୁମ୍ବାଇରେ ଓମିକ୍ରନର ବିଏ-୫ ସବ୍‌-ଭାରିଆଣ୍ଟ ଚିନ୍ତାର କାରଣ ପାଲଟିଛି। ଠାଣେରେ ଦୁଇ ରୋଗୀଙ୍କ ମଧ୍ୟରେ ଏହି ଭାରିଆଣ୍ଟ ଦେଖିବାକୁ ମିଳିଛି। ଏଥିରେ ୨୫ବର୍ଷ ବୟସ୍କା ମହିଳା ଏବଂ ୩୨ବର୍ଷ ବୟସ୍କା ପୁରୁଷ ରହିଛନ୍ତି। ଉଭୟ କୋଭିଡ ଟିକା ନେଇଥିଲେ ମଧ୍ୟ ସେମାନେ ସଂକ୍ରମିତ ହୋଇଛନ୍ତି।

Share