ଭୁବନେଶ୍ୱର, ୨୨।୯(ବ୍ୟୁରୋ): କରୋନା ସାରା ବିଶ୍ୱରେ ଏକ ବଡ ବିପଦ ସୃଷ୍ଟି କରିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ବିଜେଡି-ଭାଜପା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ପାର୍ଲାମେଣ୍ଟରେ ଓଡିଶାର କୋଭିଡ ପରିଚାଳନା ନେଇ ଭାଜପା ସଦସ୍ୟ ଅଭିଯୋଗ ଆଣୁଥିବା ବେଳେ ଏ ସମୟରେ ଭାଜପା ରାଜନୀତି ନ କରିବାକୁ ବିଜେଡି ପରାମର୍ଶ ଦେଇଛି। ରାଜ୍ୟ ସରକାର ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଲୋକ ସଭାରେ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି। ଏଥିସହିତ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓଡିଶାର ସ୍ଥିତି ସମ୍ଭାଳୁ ବୋଲି କହିଥିଲେ। ଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ଯେପରି ଷ୍ଟ୍ରାଟେଜି ଆପଣାଇଥିଲେ ଓଡିଶାରେ ମଧ୍ୟ ସେପରି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ପୂଜାରୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପୂଜାରୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ସାରା ଦେଶ ଏବଂ ବିଶ୍ୱ ତୁଳନାରେ ଓଡ଼ିଶାରେ ମୃତ୍ୟୁ ହାର କମ୍ ଥିବାବେଳେ ସୁସ୍ଥ ହାର ବହୁତ ଅଧିକ ରହିଛି। କୋଭିଡ କେୟାର ସେଣ୍ଟର ଯୋଗୁ କୋଭିଡ ମ୍ୟାନେଜମେଣ୍ଟରେ ଓଡିଶାକୁ ରୋଲ ମଡେଲଭାବେ ଦେଖାଯାଉଛି।