ସମରେନ୍ଦ୍ର ବଳିଆରସିଂହ
କରୋନା ଗୋଟେ କାଳର ନାଁ, ‘ସାକ୍ଷାତ ଯମ’। କାହାକୁ ନେଇଯାଇଛି ତ, କାହା ଦେହରେ ହାତ ଆଉଁସି ପଳେଇ ଯାଇଛି। କି ଧନୀ, କି ଗରିବ ସମସ୍ତେ ଏଇ କରୋନା କାଳକୁ ସାମ୍ନା କରିଛନ୍ତି। ଏ ମଣିଷ ବନ୍ୟାା, ବାତ୍ୟା, ମରୁଡ଼ି ଦେଖିଛି, ଭୂମିକମ୍ପ ଦେଖିଛି; ହେଲେ ଏଭଳି ‘ନୀରବ ଘାତକ’ କେବେ ଦେଖି ନ ଥିଲା। ଭାବିଲେ, ଏଠି ଶତ୍ରୁ କିଏ? ନିଜ ହାତକୁ ବିଶ୍ୱାସ ନାହିଁ, ନିଜ ନାକ, ପାଟିକୁ ବିଶ୍ୱାସ ନାହିଁ। ଯୋଉ ହାତକୁ ସେ ଏତେ ଭଲ ପାଏ, ସେଇ ହାତ ତା’ ଜୀବନ ନେଇଯାଇପାରେ! ଯୋଉ ମଣିଷମାନେ ତା’ର ପ୍ରିୟ, ସେଇ ମଣିଷମାନେ ତା’ ମୃତ୍ୟୁର କାରଣ ସାଜିପାରନ୍ତି କିମ୍ବା ଏହାର ବିପରୀତ ଘଟିପାରେ। କରୋନା ଦାଉରୁ ବଞ୍ଚିଯାଇଥିବା ଲୋକଟି ଜୀବନଯାକ ସନ୍ତୁଳି ହେଉଥିବ, ଆହା! ମୋ ଯୋଗୁ ମୋ ପ୍ରିୟଜନଙ୍କ ଜୀବନ ଚାଲିଗଲା। ଏଭଳି ଏକ ଦୁଷ୍ଟ କାଳଖଣ୍ଡକୁ ମଣିଷ କ’ଣ କେବେ ଭୁଲିପାରିବ? ଗତବର୍ଷ କରୋନା ଆସିଥିଲା, ପ୍ରାୟତଃ ଚାଲିଯାଇଥିଲା। କିନ୍ତୁ ପୁଣି ଲେଉଟିଲା। ଗତବର୍ଷ କରୋନା ଯେତିକି ଛାନିଆ କରିଥିଲା, ଏଥର ବହୁଗୁଣରେ ଛାନିଆ କରିଛି। ଏଭଳି ଝଡ଼କୁ ସାମ୍ନା କରିବାକୁ ଆମେ ଜମାରୁ ପ୍ରସ୍ତୁତ ନ ଥିଲୁ। ଆମେ ପ୍ରସ୍ତୁତ ଥିଲୁ କ୍ଷମତା ହାସଲ କରିବା ଲକ୍ଷ୍ୟରେ। ଯେମନ୍ତ ରାଜା, ସେମନ୍ତ ପ୍ରଜା। କେହି ମାନିଲେନି। ଧିକ୍…ଆମେ ହେଲୁ ବିଶୃଙ୍ଖଳିତ ଭାରତୀୟ!
ପାଠକ ବନ୍ଧୁ! କରୋନାକାଳୀନ ଏ ଆଲେଖ୍ୟର ଏମନ୍ତ ଉପକ୍ରମ ପରେ ଅସଲ ପ୍ରସଙ୍ଗକୁ ଆସିବା। ଲେଖାର ଶିରୋନାମା ‘କରୋନା କୁଟିର’। ‘କରୋନା ନିବାସ’, ‘କରୋନା ଆବାସ’, ‘କରୋନା ମହଲ’..ଏମିତି ବି ହୋଇପାରିବ। ତେବେ କେହି କ’ଣ ନିଜ ଘରର ନାଁ ଏଭଳି ରଖିପାରିବେ! ବୋଧହୁଏ ନା। କିନ୍ତୁ ବର୍ତ୍ତମାନ ସମୟର ଆବଶ୍ୟକତା, ସମସ୍ତେ ଏହିଭଳି ଗୋଟେ ଗୋଟେ କୁଟିର କରନ୍ତୁ, ନାଁ ପଛକେ ନ ରଖନ୍ତୁ। ହଁ, ଆଜ୍ଞା ଏହା ଜରୁରୀ ହୋଇପଡ଼ିଛି। ଯାହା ଘଟିଯାଇଛି, ଘଟିଯାଇଛି। ଏବେ ଯାହା କରାଯାଇପାରିବ, କରାଯାଉ। କାରଣ କରୋନା ମହାମାରୀ ଆମ ସହ ଦୀର୍ଘ ବର୍ଷ ରହିପାରେ ବୋଲି କିଛି ବିଶେଷଜ୍ଞ କହୁଛନ୍ତି। ଏହି ପରିପ୍ରେକ୍ଷୀରେ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ, କରୋନା କୁଟିର ପାଇଁ। ଆମ ଭାରତୀୟ ବ୍ୟବସ୍ଥାରେ ଅଧିକାଂଶ ଘରେ ଘରର ସବୁ ସଦସ୍ୟଙ୍କ ପାଇଁ ଅଲଗା ଅଲଗା ଘର ନ ଥାଏ। କାରଣ ଆର୍ଥିକ ସ୍ବଚ୍ଛଳତା ଉପରେ ଏହା ନିର୍ଭରଶୀଳ। ତେବେ ବର୍ତ୍ତମାନ ସମୟରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ଅଲଗା ଅଲଗା କୋଠରିର ଆବଶ୍ୟକତା ରହିଛି, ଯାହା କରୋନାକାଳରେ ସହାୟକ ହୋଇପାରିବ। କାରଣ ଗୋଟିଏ ଦୁଇଟି କୋଠରିରେ ରହି ପରିବାରର ଅଧିକାଂଶ ସଦସ୍ୟ ସଂକ୍ରମିତ ହୋଇଛନ୍ତି। ଜଣକ ପରେ ଜଣେ ସଂକ୍ରମିତ ହୋଇଛନ୍ତି। ପୂରା ଘର ଉଜୁଡ଼ି ପଡ଼ିଛି। ଯେଉଁ ଘର ଥିଲା ସ୍ବର୍ଗ, ତାହା ନରକ ପାଲଟିଛି ।
ତେଣୁ ଅନ୍ତତଃପକ୍ଷେ ବର୍ତ୍ତମାନ ଯେଉଁମାନେ ନୂଆ ଘର କରିବେ, ସେମାନେ ଏଇ ଦିଗଟିକୁ ଧ୍ୟାନ ଦିଅନ୍ତୁ। କୋଠରି ପଛେ ଛୋଟ ହେଉ ଏବଂ ତା’ ସହ ଗାଧୁଆ ଘର-ପାଇଖାନା ରହୁ। ଛୋଟ ପିଲାଙ୍କ ପାଇଁ ଛୋଟ ହେଉ ପଛେ ପଢ଼ିବା ଘର ଲୋଡ଼ା। କରୋନା ଭଳି ପରିସ୍ଥିତି ଉପୁଜିଲେ ସେମାନେ ସେଇ ଘରେ ଏକାନ୍ତବାସରେ ରହିପାରିବେ। ଆଗେ ଘରର ଦୁଇ-ତିନି ପୁଅଙ୍କ ପାଇଁ ବାପା, ମା’ ବା ଅଭିଭାବକ ଗୋଟିଏ ଜାଗାରେ ସମସ୍ତଙ୍କ ପାଇଁ ଘର କରୁଥିଲେ। କିନ୍ତୁ ଏବର ଆବଶ୍ୟକତା ହେଉଛି, ଗୋଟିଏ ଜାଗାରେ କରନ୍ତୁ ପଛେ, କିନ୍ତୁ ଭବିଷ୍ୟତରେ ଭିନେ ହେଲେ ଯେଭଳି କିଛି ଅସୁବିଧା ହେବନାହିଁ। ଘରଗୁଡ଼ିକ ସେଇଭଳି ହେବା ଦରକାର। ଭାଇବାଣ୍ଟ ବେଳେ ଯେଉଁ ସମସ୍ୟା ଦେଖାଯାଏ, ତାହା ଦେଖାଯିବନି। କରୋନା ଭଳି ପରିସ୍ଥିତିରେ ଏହା ସହାୟକ ହୋଇପାରିବ। ଘରର ଜଣେ ସଂକ୍ରମିତ ହେଲେ ସମସ୍ତେ ସଂକ୍ରମିତ ହେବେନାହିଁ। ଆବେଗିକ ଦୃଷ୍ଟିକୋଣରୁ ଏହା ଖଟ୍କା ଲାଗିପାରେ, କିନ୍ତୁ ଏହା ହିଁ ଆଜିର ବାସ୍ତବିକତା। ଆଜିକାଲି ଅଧିକାଂଶ ବ୍ୟକ୍ତି ଛାତ ଉପରେ ଗୋଟେ କୋଠରି ସହ ଗାଧୁଆଘର-ପାଇଖାନା କରୁଛନ୍ତି। କରୋନାକାଳୀନ ଏକାନ୍ତବାସ ପାଇଁ ଏହା ବେଶ୍ ସହାୟକ ହେଉଛି। ଭବିଷ୍ୟତରେ ଘର କରୁଥିବା ଲୋକମାନେ ମଧ୍ୟ ଏଥିପ୍ରତି ଦୃଷ୍ଟିଦେବା ଦରକାର।
କରୋନା କୁଟିରର ଆଉ ଏକ ଆବଶ୍ୟକତା ହେଲା ସ୍ବଚ୍ଛତା। କରୋନା ସମୟରେ ଅଧିକାଂଶ ବ୍ୟକ୍ତି ଘରେ ପଶିବା ପୂର୍ବରୁ ଗାଧେଇ, ପ୍ୟାଣ୍ଟ ଶାର୍ଟ ଧୋଇ ଘରକୁ ଯାଉଛନ୍ତି। ଘରେ ପହଞ୍ଚିବା ପୂର୍ବରୁ ଦାଣ୍ଡରେ ପାଣି ବାଲ୍ଟି ଥୋଇବାକୁ ଆଗତୁରା ଫୋନ୍ କରି କହୁଛନ୍ତି। ତେବେ ଦାଣ୍ଡରେ ଗାଧେଇବାର ସୁବିଧା ବା ସ୍ଥାନ ସମସ୍ତଙ୍କର ନାହିଁ। କାରଣ ସହରୀ ବ୍ୟବସ୍ଥାରେ ଅନେକେ ପାଚେରି ଉପରେ ଘର ଛିଡ଼ା କରିଛନ୍ତି। ତେଣୁ ଆଧୁନିକ ଗୃହନିର୍ମାଣ ଶୈଳୀରେ ଏସବୁକୁ ବିଚାରକୁ ନେବା ଆବଶ୍ୟକ। ସବୁତକ ଜାଗାରେ ଘର ନ କରି କିଛି ସ୍ଥାନ ଛାଡ଼ିବା ଦରକାର। ଦ୍ୱିତୀୟତଃ, ଯେଉଁମାନଙ୍କର ସୁବିଧା ଅଛି, ଆବଶ୍ୟକ ଜାଗା ଅଛି, ସେମାନେ ଘରକୁ ପ୍ରବେଶ କରିବା ପୂର୍ବରୁ ଗ୍ୟାରେଜ୍କୁ ଲାଗି କିମ୍ବା କୌଣସି ପାର୍ଶ୍ୱରେ ହେଉ ଛୋଟ ଗାଧୁଆ ଘର-ପାଇଖାନାଟେ କରନ୍ତୁ କିମ୍ବା ଭଲଭାବେ ଧୁଆଧୁଇ ହେବା ପାଇଁ ବ୍ୟବସ୍ଥା କରନ୍ତୁ। ଅନେକେ ଅତିଥି ଗୃହ ବା ଗେଷ୍ଟ ରୁମ୍ କରୁଛନ୍ତି। ଆପଣ ଯଦି ଚାହିଁବେ, ଏହା ଘରର ପ୍ରବେଶସ୍ଥଳୀ ପାଖରେ କରନ୍ତୁ। ଛୋଟ କୋଠରି ହେଉ ଏବଂ ସେଥିରେ ପାଇଖାନା-ଗାଧୁଆ ଘର ଲାଗିକରିଥାଉ। କରୋନାକାଳରେ ଏହା ସହାୟକ ହୋଇପାରିବ। ପୃଥକବାସ ଓ ସଂଲଗ୍ନ ଗାଧୁଆଘର-ପାଇଖାନା ପାଇଁ ଯେଉଁଠି ସମ୍ଭବ, ଘରର ନବୀକରଣ କରାଯାଇପାରେ। କିଛି ବ୍ୟବସାୟିକ ପ୍ରତିଷ୍ଠାନ ତଥା କାର୍ଯ୍ୟାଳୟରେ ପ୍ରବେଶପଥରେ ସାନିଟାଇଜ୍ କରିବା ପାଇଁ ବିଶେଷ ବ୍ୟବସ୍ଥା କରାଗଲାଣି। ଘରେ ମଧ୍ୟ ସେହିଭଳି କରାଯାଇପାରିବ। କରୋନା ପାଇଁ ସଂପ୍ରତି ଘରୁ କାମ କରିବା ବା ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଲାଗୁକରିଛନ୍ତି ଅନେକ କମ୍ପାନୀ। ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ କମ୍ପୁଟର ବା ସ୍ମାର୍ଟଫୋନ୍ ମାଧ୍ୟମରେ ଅନେକ କାର୍ଯ୍ୟ ସମ୍ଭବ ହେଉଛି। ଏହାଫଳରେ କର୍ମଚାରୀ ଅଫିସ୍ ଯିବା ଆସିବାରେ ହେଉ ବା ଅଫିସର ଘରଭଡ଼ା, ବିଦ୍ୟୁତ୍ ବିଲ୍ ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ଖର୍ଚ୍ଚ ସୀମିତ ହୋଇପାରୁଛି। ତେଣୁ ଘରେ ଅଫିସ୍ ଭଳି ଏକ କୋଠରି ନିହାତି ଲୋଡ଼ା। ନୂତନ ଘର ଡିଜାଇନରେ ଏହାକୁ ସାମିଲ କରାଯିବାର ଆବଶ୍ୟକତା ରହିଛି। ପଢ଼ାଘରକୁ ମଧ୍ୟ ଅଫିସ୍ ଘରର ରୂପ ଦିଆଯାଇପାରେ।
ଆଜିକାଲି ଘରଗୁଡ଼ିକ ପିଲାର୍-ଷ୍ଟ୍ରକ୍ଚର ମାଧ୍ୟମରେ ହେଉଥିବାବେଳେ ପ୍ଲାଇଉଡ୍ ବା ପ୍ଲାଷ୍ଟରବୋର୍ଡ ମାଧ୍ୟମରେ ବିଭିନ୍ନ କୋଠରିଗୁଡ଼ିକୁ ପ୍ରସ୍ତୁତ କରାଯାଉଛି, ପାର୍ଟିସନ ୱାଲ୍ କରାଯାଉଛି। ବିଶେଷକରି ଅଫିସ୍ ଓ ବିଭିନ୍ନ ବ୍ୟବସାୟିକସ୍ଥଳୀରେ ଏହାର ଉପଯୋଗ କରାଯାଉଛି। ଘରୋଇ ବାସସ୍ଥଳୀଗୁଡ଼ିକରେ ଏଭଳି କରାଗଲେ କରୋନା ସମୟରେ ଏହା ସହାୟକ ହୋଇପାରିବ। ଘରଲୋକେ ନିଜେ ଯଦି ସେଗୁଡ଼ିକୁ ପୁନଃ ଅବସ୍ଥାପିତ କରି ଆବଶ୍ୟକତା ଅନୁଯାୟୀ ଛୋଟ ଛୋଟ କୋଠରି କରିପାରିବେ, ତା’ ହେଲେ ତାହା କରୋନା ପୃଥକବାସରେ କାମରେ ଲାଗିପାରିବ। ଘର ପାଇଁ ଝରକା ଗୋଟେ ବଡ଼ ଆବଶ୍ୟକତା। କିନ୍ତୁ ଆଧୁନିକ ଗୃହନିର୍ମାଣଶୈଳୀରେ ଝରକା କେବଳ ନାମକୁ ମାତ୍ର। ଅଧିକାଂଶ ସ୍ଲାଇଡିଂ ଝରକା ଲଗାଉଛନ୍ତି, ତାହା ଅନେକ ସମୟରେ ବନ୍ଦ, କାଁଭାଁ ଖୋଲୁଚି। ଝରକା ପବନ ଆସିବା ପାଇଁ ନୁହେଁ, କେବଳ ଆଲୋକ ପାଇଁ ବ୍ୟବହୃତ ହେଉଛି। କାରଣ ଘରେ ସବୁବେଳେ ଏସି। ସେଇ ଏସି କରୋନା ସଂକ୍ରମଣର ବଡ଼ କାରଣ। ଘରକୁ ଖୋଲା ପବନ ଆସିପାରୁନି, ଏସି ମାଧ୍ୟମରେ ସଂକ୍ରମଣ ବଢ଼ିଚାଲିଛି।
କରୋନା କାଳ ପିଲାଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ। ଯେହେତୁ ପିଲା ଘରୁ ବାହାରକୁ ବାହାରିପାରୁନାହାନ୍ତି, ତେଣୁ ସେମାନଙ୍କ ପାଇଁ ଛାତ ହିଁ ଗୋଟିଏ ପ୍ରକୃଷ୍ଟ ଜାଗା। ପିଲାଙ୍କ ଖେଳିବା ପାଇଁ ସେଠାରେ କିଛି ପରିବର୍ତ୍ତନ କରାଯାଇ ମନୋରଞ୍ଜନ-ଉପଯୋଗୀ କରାଯାଇପାରେ। ଯଦି ବାଡ଼ିବଗିଚା ଅଛି ଭଲ, ସେଠାରେ ଆପଣ ପନିପରିବା ଲଗାଇ ଆତ୍ମନିର୍ଭରଶୀଳ ହୋଇପାରିବେ। ଯଦି ବାଡ଼ିବଗିଚା ପାଇଁ ଜାଗା ନାହିଁ, ତା’ ହେଲେ ଛାତ ଉପରେ ବି ପନିପରିବା ଲଗାଇପାରିବେ। ସହରାଞ୍ଚଳରେ ଏହା ରୁଫ୍ ଟପ୍ ଗାର୍ଡନ ଭାବେ ଲୋକପ୍ରିୟ ହେଉଛି। ଶାରୀରିକ ପରିଶ୍ରମ ହେଲା, ରାସାୟନିକ ସାରଯୁକ୍ତ ପରିବା ଖାଇବାରୁ ତ୍ରାହି ମିଳିଲା। ଆତ୍ମନିର୍ଭରଶୀଳତାର ଏହା ଏକ ବଡ଼ ନମୁନା। ପନିପରିବା ବାବଦ ଖର୍ଚ୍ଚ ମଧ୍ୟ ବଞ୍ଚିଲା। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଧିକାଂଶ ଲୋକ ଘର କରି ନିଜେ ରହି ଭଡ଼ା ଦେବାରେ ଆଗ୍ରହୀ। ଆଗ୍ରହ ରହିବା ସ୍ବାଭାବିକ, ଭଡ଼ା ଗୋଟେ ଭଲ ଆୟର ପନ୍ଥା। ତେବେ ନିଜର ସ୍ବାଚ୍ଛନ୍ଦ୍ୟ ପାଇଁ କିଛି ସ୍ଥାନ ରଖିବା ମଧ୍ୟ ଦରକାର। ଏଇ ଯେମିତି ଗୋଆର ଅଧିବାସୀମାନେ ଘର ଆଗରେ, ପଛରେ ଲନ୍ଟିଏ ନିହାତି ରଖିଥିବେ, କିଛି ଗଛ ଲଗାଇଥିବେ। କରୋନାକାଳୀନ ଗୃହବନ୍ଦୀ ଅବସ୍ଥା ପାଇଁ ଏହା ବେଶ୍ ଉପଯୋଗୀ।
ଜନସଂଖ୍ୟା ବୃଦ୍ଧି ହେତୁ ଆପାର୍ଟମେଣ୍ଟଗୁଡ଼ିକର ଚାହିଦା ବଢିଚାଲିଛି। ତେବେ କରୋନା ମହାମାରୀ ହେଉ କିମ୍ବା ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ହେଉ, ଆପାର୍ଟମେଣ୍ଟଗୁଡ଼ିକ ସୁରକ୍ଷିତ ନୁହନ୍ତି। ଆପାର୍ଟମେଣ୍ଟରେ ସ୍ବେରେଜ ପାଇପ୍ ମାଧ୍ୟମରେ କରୋନା ସଂକ୍ରମିତ ହେଉଛି ବୋଲି ରିପୋର୍ଟ ଆସିଲାଣି। ସର୍ବସାଧାରଣ ଲିଫ୍ଟ, ସୁଇମିଂପୁଲ୍, ପାର୍କ ଆଦି ଆପାର୍ଟମେଣ୍ଟ ରହଣି ପାଇଁ ଆକର୍ଷଣ ସାଜିଥିବାବେଳେ ସେସବୁ ଗୋଷ୍ଠୀ ସଂକ୍ରମଣ ପାଇଁ ସମସ୍ୟା ଭାବେ ଉଭା ହେଇଛି। ଏହି ପରିପ୍ରେକ୍ଷୀରେ କ’ଣ କରାଯାଇପାରିବ, ସେ ନେଇ ଆର୍କିଟେକ୍ଚରମାନେ ଚିନ୍ତା କଲେଣି। ଆବଶ୍ୟକତା ହେଉଛି ଉଦ୍ଭାବନର ଜନନୀ। ତେଣୁ କରୋନାକାଳୀନ ପରିସ୍ଥିତି ପାଇଁ ଆମକୁ ସଜାଗ ହେବାକୁ ପଡ଼ିବ। ଘରକୁ ସ୍ବର୍ଗ କରିବାକୁ ପଡ଼ିବ।
‘ବିଶ୍ୱାତ୍ମା’, ଏମ୍-୨୩, ଖୋର୍ଦ୍ଧା ବିଡିଏ କଲୋନୀ, ଖୋର୍ଦ୍ଧା, ମୋ:୮୨୪୯୬୭୯୦୯୯