କରୋନା କଲା ରେକର୍ଡ: ଗୋଟିଏ ଦିନରେ ୯୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗୁରୁବାର କରୋନା ସଂକ୍ରମଣ ଏହାର ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୫ ହଜାର ୭୩୫ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ହଜାରେ ୧୭୨ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଲକ୍ଷ ୬୫ ହଜାର ୮୬୪ ଛୁଇଁଛିି। ସେହିପରି ମୃତକଙ୍କ ସଂଖ୍ୟା ୭୫ହଜାର ୬୨ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ୩୪ ଲକ୍ଷ ୭୧ ହଜାର ୭୮୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୯ ଲକ୍ଷ ୧୯ ହଜାର ୧୮ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ସେପ୍ଟେମ୍ବର ୯ ସୁଦ୍ଧା ଦେଶରେ ୫ କୋଟି ୨୯ ଲକ୍ଷ ୩୪ ହଜାର ୪୩୩ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ୧୧ ଲକ୍ଷ ୨୯ ହଜାର ୭୫୬ ଜଣଙ୍କ ନମୁନା ପରୀକ୍ଷା ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏହାପଛକୁ ଆନ୍ଧ୍ରପ୍ରଦେଶ ରହିଛି। ମହାରାଷ୍ଟ୍ରରେ ୯ ଲକ୍ଷ ୬୭ ହଜାର ୩୪୯ ଆକ୍ରାନ୍ତ ରହିଛନ୍ତି। ଗତ ୨୪ ଘଣ୍ଟାରେ ଏଠାରେ ୨୩ ହଜାର ୮୧୬ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଆନ୍ଧ୍ରପ୍ରଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨୭ ହଜାର ୫୧୨ ରହିଛି।

Share