ଚାଇନାରେ କରୋନା ସଙ୍କଟ, ଛୋଟପିଲାଙ୍କ ଉପରେ ଅଧିକ ବିପଦ…

ବେଜିଂ, ୩।୪ : ପୁଣି ଥରେ ଚାଇନାରେ କରୋନା ସଂକ୍ରମଣର ଏକ ନୂଆ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଶାଙ୍ଘାଇ ସମେତ ଦେଶର ବହୁ ବଡ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କୁହାଯାଉଛି ଯେ ଏହି ନୂଆ ଲହର ଚାଇନାର ଅର୍ଥନୀତିକୁ ବଡ଼ ଧରଣର ଝଟ୍‌କା ଦେଇପାରେ। ଚଳିତ ଲହରରେ ଛୋଟପିଲାଙ୍କ ଉପରେ ଅଧିକ ବିପଦ ରହିଥିବା ଆକଳନ କରାଯାଇଛି। ତେଣୁ ଆକ୍ରାନ୍ତ ମରାତାପିତାଙ୍କଠାରୁ ପିଲାଙ୍କୁ ଅଲଗା ଅଜଣା ସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯାଇଛି।

କେତେକ ସହରରେ ଡବଲ ଷ୍ଟେଜ୍‌ ଲକ୍‌ ଡାଉନ୍‌ ଜାରି କରାଯାଇଛି। ଏହା ସହିତ ୩୧ ରାଜ୍ୟର ସମସ୍ତ ସହରରେ କରୋନା ପରୀକ୍ଷା ବ୍ୟାପକ ଭାବେ କରାଯାଉଛି। ଏସବୁ ସହରରେ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି। ଘରେ ସାମଗ୍ରୀ ବିତରଣ ପାଇଁ ଚେକପଏଣ୍ଟ ବ୍ୟବସ୍ଥା କରାଯାଇଛି।

ଜରୁରୀ ନଥିବା କାର୍ଯ୍ୟାଳୟ ଏବଂ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ ରଖାଯାଇଛି। ଚଳିତ ମାସ ସୁଦ୍ଧା ଚାଇନାରେ ୫୬,୦୦୦ ରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। ଯେଉଁଥିରୁ ଅଧିକାଂଶ ମାମଲା ଉତ୍ତର-ପୂର୍ବ ପ୍ରଦେଶରେ ଚିହ୍ନଟ ହୋଇଛି। ଚାଇନାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ର ସଂକ୍ରାମକ ରୋଗ ବିଶେଷଜ୍ଞ ୱୁ ଜୁନିୟୁ କହିଛନ୍ତି ଯେ ‘ଶୂନ କୋଭିଡ’ର ଲକ୍ଷ୍ୟକୁ ପାଳନ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏହି ନୀତି ଅନୁଯାୟୀ, ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

ଚାଇନାର ଟିକାକରଣ ହାର ପ୍ରାୟ ୮୭ ପ୍ରତିଶତ ଛୁଇଁଛି। ତେବେ ବୟସ୍କ ଲୋକଙ୍କ ମଧ୍ୟରେ ଏହା କମ୍‌ ରହିଛି। ପ୍ରକାଶିତ ଜାତୀୟ ତଥ୍ୟ ଦର୍ଶାଇଛି ଯେ ୬୦ବର୍ଷରୁ ଅଧିକ ବୟସର ୫୨ ମିଲିୟନରୁ ଅଧିକ ଲୋକଙ୍କୁ ଏପର୍ଯ୍ୟନ୍ତ କୌଣସି ଟିକା ଦିଆଯାଇ ନାହିଁ। ବୁଷ୍ଟର୍‌ ଡୋଜ୍‌ ହାର ମଧ୍ୟ ଚାଇନାରେ କମ ରହିଛି। ୬୦-୬୯ ବୟସ୍କଙ୍କ ମଧ୍ୟରେ ଏହା ୫୬.୪ ପ୍ରତିଶତ ରହିଛି। ସେହିପରି ୭୦-୭୯ ବର୍ଷ ବୟସ୍କଙ୍କ ମଧ୍ୟରେ ୪୮.୪ ପ୍ରତିଶତ ଟିକା ନେଇଛନ୍ତି।

Share