କରୋନା ସଙ୍କଟ, ୨୭ ଏପ୍ରିଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ…

ନୂଆଦିଲ୍ଲୀ, ୨୪।୪ : ଦେଶରେ କରୋନା ସଙ୍କଟ ପୁଣି ବଢ଼ି ଚାଲିଛି। ୨୭ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକର ଅଧ୍ୟକ୍ଷତା କରିବେ ବୋଲି ଏକ ସରକାରୀ ସୂତ୍ରରୁ ପ୍ରକାଶ।

ସୂଚନାନୁସାରେ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନା ସଂକ୍ରମଣର ସାମ୍ପ୍ରତିକ ପରିସ୍ଥିତି ଉପରେ ଏକ ଉପସ୍ଥାପନା ପ୍ରସ୍ତୁତ କରିବେ। ଗତ କିଛି ସପ୍ତାହ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ହାରରେ କ୍ରମାଗତ ବୃଦ୍ଧି ଘଟିଛି। ରବିବାର ଦିନ କେନ୍ଦ୍ର ସ୍ବସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୪୪ ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ସକ୍ରିୟ ମାମଲା ସଂଖ୍ୟା ୧୫,୮୭୩କୁ ବୃଦ୍ଧି ପାଇଛି, ଯାହାକି ମୋଟ ମାମଲାର ୦.୦୪ ପ୍ରତିଶତ ଅଟେ।
ସେହିପରି ସୁସ୍ଥତା ହାର ୯୮.୭୫ ପ୍ରତିଶତ ରେକର୍ଡ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଦେଶରେ ସାପ୍ତାହିକ ସଂକ୍ରମଣ ହାର ୦.୫୦ ପ୍ରତିଶତ ଥିବାବେଳେ ବୈନିକ ସଂକ୍ରମଣ ହାର ୦.୬୦ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଦେଶରେ ଟିକାକରଣ ୧୮୭.୬୫ କୋଟି ଅତିକ୍ରମ କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଶନିବାର ସା ୭ ଟା ସୁଦ୍ଧା ୧୭ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି।

Share