ନୂଆଦିଲ୍ଲୀ,୧୨ ।୯: କରୋନାରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ମୃତ୍ୟୁ ପ୍ରମାଣପତ୍ରରେ ଏହା ଉଲ୍ଲେଖ କରାଯିବ । ଅର୍ଥାତ୍ କରୋନାରେ ମୃତ୍ୟୁ ବୋଲି ଲେଖାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍) ପ୍ରତି ରାଜ୍ୟକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଏହାସହ ପୂର୍ବରୁ ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନ ମଧ୍ୟ ଏହି ପ୍ରମାଣପତ୍ର ପାଇଁ ଦାବି କରିପାରିବେ । ଏଥିପାଇଁ ପ୍ରତି ଜିଲାରେ ଏକ କମିଟି ଗଠନ କରାଯିବ । ଏହି କମିଟିରେ ଆବେଦନ କରିବା ପରେ ୩୦ ଦିନ ମଧ୍ୟରେ କମିଟି ଏହାର ସମାଧାନ କରିବ । ଏନେଇ ଦୁଇ ଜଣ ଆବେଦନକାରୀଙ୍କ ଆବେଦନର ବିଚାର କରି ପୂର୍ବରୁ ସୁପ୍ରିମକୋର୍ଟ ଏହି ରାୟ ଦେଇଥିଲେ ବି କେନ୍ଦ୍ର ସରକାର ଏହା ପାଳନ କରିବାକୁ ବିଳମ୍ବ କଲେ । ଯାହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଘରେ ହେଉ ଅବା ହସ୍ପିଟାଲରେ ଯେଉଁମାନଙ୍କର କରୋନରେ ମୃତ୍ୟୁ ହୋଇଛି ସେମାନଙ୍କ ମୃତ୍ୟୁ ପ୍ରମାଣପତ୍ରରେ ଏହା ଉଲ୍ଲେଖ କରାଯିବ । କିନ୍ତୁ କରୋନା ଯୋଗୁ ଯେଉଁମାନେ ଆତ୍ମହତ୍ୟା କରିଛନ୍ତି ଅବା ଯେଉଁ କରୋନା ରୋଗୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ସେମାନଙ୍କ ମୃତ୍ୟୁ ପ୍ରମାଣପତ୍ରରେ ଏହା ଉଲ୍ଲେଖ କରାଯିବ ନାହିଁ ବୋଲି କୁହାଯାଇଛି ।