କରୋନା ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ, ସରକାରୀ ରିପୋର୍ଟ ମାତ୍ର ୪ ହଜାର…

ବେଜିଂ, ୧୬।୧ : ଚାଇନା ସରକାର କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଜଣେ ବିଶ୍ଳେଷକ ଦାବି କରିଛନ୍ତି ଯେ ଚାଇନାରେ କରୋନା ମହାମାରୀ ମୃତ୍ୟୁ ସଂଖ୍ୟା ସରକାରୀ ତଥ୍ୟଠାରୁ ଢ଼େର ଅଧିକ। ଏହା ସରକାରୀ ରିପୋର୍ଟରେ ପ୍ରକାଶିତ ମତ୍ୟୁ ସଂଖ୍ୟାଠାରୁ ୧୭,୦୦୦ ପ୍ରତିଶତ ଅଧିକ। ଦେଶରେ କଡ଼ା ଲକ୍‌ଡାଉନ୍‌ ସତ୍ତ୍ୱେ ପ୍ରକୃତ ମୃତ୍ୟୁ ସଂଖ୍ୟା ୧୭ ଲକ୍ଷରୁ ଅଧିକ ରହିଛି। ମାତ୍ର ସରକାର ମୃତ୍ୟୁ ସଂଖ୍ୟାକୁ ମାତ୍ର ୪,୬୩୬ ବୋଲି ଦର୍ଶାଇଛନ୍ତି। ଏହା ପ୍ରକୃତ ମୃତ୍ୟୁର ସମ୍ପୂର୍ଣ୍ଣ ବିପରୀତ।

ଷ୍ଟିଭେନ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର କ୍ୱାଣ୍ଟିଟିଭ ଫାଇନାନ୍ସ ପ୍ରୋଗ୍ରାମର ନିର୍ଦ୍ଦେଶକ ଜର୍ଜ କୈଲହୈନ ଅଭିଯୋଗ କରିଛନ୍ତି ଯେ ଚାଇନା ସରକାର ନିଜର ଭାବମୂର୍ତ୍ତିକୁ ରକ୍ଷା କରିବା ପାଇଁ କମ ମୃତ୍ୟୁ ବିଷୟରେ ମିଥ୍ୟା ତଥ୍ୟ ପ୍ରକାଶ କରିଛନ୍ତିି। ଦି ଇକୋନୋମିଷ୍ଟର ମଡେଲକୁ ଅଧ୍ୟୟନ କରୁଥିବା ଜଣେ ବିଶେଷଜ୍ଞ ଦି ଇପୋଚ ଟାଇମ୍ସକୁ ଦାବି କରିଛନ୍ତି ଯେ ଚାଇନାର ଏଭଳି ସରକାରୀ ପରିସଂଖ୍ୟାନ ସମ୍ପୂର୍ଣ୍ଣ ମିଥ୍ୟା।

ଏପ୍ରିଲ ୨୦୨୦ ପରେ, ଯେତେବେଳେ ଅଧିକାଂଶ ମୃତ୍ୟୁ ଉହାନରେ ଘଟିଥିଲା, ସେତେବେଳେ ବେଜିଂ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଭାବରେ କେବଳ ଦୁଇଟି ମୃତ୍ୟୁ ରେକର୍ଡ କରିଥିଲେ। ଏଭଳି ରିପୋର୍ଟ ଭିତ୍ତିହୀନ ବୋଲି ସେ କହିଛନ୍ତି।

ସାମ୍ପ୍ରତିକ ଆକଳନ ଅନୁଯାୟୀ, ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା କମ ଥିବା ଦେଶମାନଙ୍କ ମଧ୍ୟରେ ଚାଇନାକୁ ଗଣନା କରାଯାଇଥାଏ। ଏହା ଅସମ୍ଭବ ବୋଲି କଲହୋନ କହିଛନ୍ତି। ୨୦୨୦ ରେ ଟିକା ନ ଆସିବା ପୂର୍ବରୁ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିଲା। ମାତ୍ର ଚାଇନା ଏହାର ପ୍ରକୃତ ତଥ୍ୟ ପ୍ରକାଶ କରି ନାହିଁ ସେ କହିଛନ୍ତି।

ଜନ ହପକିନ୍ସ କରୋନାଭାଇରସ ରିସୋର୍ସ ସେଣ୍ଟରର ତଥ୍ୟ ଅନୁଯାୟୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଚାଇନା ଜିରୋ କୋଭିଡ ପଲିସି ଉପରେ ଜୋର୍‌ ଦେଉଛି।

ଏଥିପାଇଁ ଚାଇନା ସରକାର ମଧ୍ୟ ସମସ୍ତ ମାନବୀୟ ସୀମା ଅତିକ୍ରମ କରିବାକୁ ପ୍ରସ୍ତୁତ ଅଛନ୍ତି। ଲୋକଙ୍କୁ ଘରେ କିମ୍ବା ଧାତବ ବାକ୍ସରେ ବନ୍ଦ ରଖିଛନ୍ତି। କଡ଼ା ସରକାରୀ ଆଇନ ଯୋଗୁ ଲୋକେ ଘରୁ ବାହାରକୁ ଆସି ପାରୁ ନାହାନ୍ତି। ସେମାନଙ୍କ ପାଖରେ ଖାଇବା ପାଇଁ ଖାଦ୍ୟ ନାହିଁ। ଭୋକ ବିକଳରେ ଲୋକ ନାନା ପ୍ରକାର ହଇରାଣ ହରକତ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share