ଥମୁଛି ସଂକ୍ରମଣ ବଢୁଛି ଭିଡ଼…

ନୂଆଦିଲ୍ଲୀ,୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧ ହଜାର ୮୩୧ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୫୪୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୯ ହଜାର ୨୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୩୬ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ୪ ଲକ୍ଷ ୧୦ ହଜାର ୯୫୨ ଜଣ ଚିକିତ୍ସିତ ହେଉଛନ୍ତି। ଦୈନିକ ପଜିଟିଭ୍‌ ହାର ୧.୩୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୨୯ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୨୪ ହଜାର ୩୫୧ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୪୭ କୋଟି ୨ ଲକ୍ଷ ୯୮ ହଜାର ୫୯୬ ଜଣ ଲୋକଙ୍କୁ ଟିକାଦାନ ସରିଛି। ଅପରପକ୍ଷରେ ଇତିମଧ୍ୟରେ ୪୬ କୋଟି ୨୬ ଲକ୍ଷ ୨୯ ହଜାର ୭୭୩ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୭ ଲକ୍ଷ ୮୧ ହଜାର ୨୬୩ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ଇତିମଧ୍ୟରେ ୩ କୋଟି ୧୬ ଲକ୍ଷ ୧୩ ହଜାର ୯୯୩ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ତେବେ ଲୋକେ କରୋନା ମାର୍ଗଦର୍ଶିକା ପାଳନ କରୁ ନ ଥିବାରୁ ପୁଣି ସଙ୍କଟର ଆଶଙ୍କା ବୃଦ୍ଧି ପାଉଛି। ସଂକ୍ରମଣ ଥମୁଥିବାବେଳେ ଭିଡ଼ ବଢୁଥିବାରୁ ସରକାର ଚିନ୍ତାରେ ପଡ଼ିଛନ୍ତି।

Share