ଭୁବନେଶ୍ୱର, ୧୨।୯(ବ୍ୟୁରୋ)- ଏଣିକି ବଜାରରେ କରୋନା ଔଷଧ ମିଳିବ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଫାଭିପିରାଭିର୍ ଟାବ୍ଲେଟ୍ ଓ ରେମ୍ଡେସିଭିର ଇଞ୍ଜେକ୍ସନ ବିକ୍ରି ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ପକ୍ଷରୁ ଅନୁମତି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ମଧ୍ୟ ଉକ୍ତ ୨ଟି ଔଷଧ ବଜାରରେ ଉପଲବ୍ଧ ହେବ ବୋଲି ଡାଇରେକ୍ଟୋରେଟ୍ ଅଫ୍ ଡ୍ରଗ୍ସ କଣ୍ଟ୍ରୋଲ ଓଡ଼ିଶା ପକ୍ଷରୁ ଶନିବାର ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସ୍କ୍ରିପ୍ଶନ ଥିଲେ ଏହି ଔଷଧଗୁଡ଼ିକ କିଣିହେବ। ତେବେ ଚିକିତ୍ସା ଆରମ୍ଭ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଫର୍ମରେ ରୋଗୀ କିମ୍ବା ତାଙ୍କ ପ୍ରତିନିଧିଙ୍କଠାରୁ ସମ୍ମତିପତ୍ର ଆଣିବାକୁ ପଡ଼ିବ। ଏହି ଔଷଧଗୁଡ଼ିକୁ ବିକ୍ରିବେଳେ ଦୋକାନୀ ଡାକ୍ତରଙ୍କ ପ୍ରେସ୍କ୍ରିପ୍ଶନ, ରୋଗୀଙ୍କ ସମ୍ମତି ପତ୍ର, ଔଷଧ କିଣୁଥିବା ବ୍ୟକ୍ତିଙ୍କ ବାସସ୍ଥାନ ପ୍ରମାଣପତ୍ର, ଯୋଗାଯୋଗର ସମ୍ପୂର୍ଣ୍ଣ ଠିକଣାର ଫଟୋ କପି ରଖିବାକୁ ପଡ଼ିବ। ଏଥିସହିତ ଏହି ଔଷଧ କିଣାବିକା ସମ୍ପର୍କରେ ଔଷଧ ଦୋକାନୀ ପ୍ରତି ସପ୍ତାହରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଜଣାଇବେ ବୋଲି ଉକ୍ତ ନିର୍ଦ୍ଦେଶନାମରେ ଉଲ୍ଲେଖ କରାଯାଇଛି।