କରୋନା ପ୍ରଭାବ: କୁଏତରେ ଭାରତୀୟ ନାଗରିକଙ୍କ ପ୍ରବେଶ ନିଷେଧ

କୁଏତ ସିଟି,୩୧।୭: କରୋନା ସଙ୍କଟ ଯୋଗୁ କୁଏତରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦିନରୁ କୁଏତ ସରକାର ନିଜ ଦେଶରେ ଯାତ୍ରା ଉପରେ ଲଗାଇଥିବା ପ୍ରତିବନ୍ଧକକୁ ଏବେ ହଟାଇ ଦେଇଛନ୍ତି। କିନ୍ତୁ କିଛି ଦେଶର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି। ସେଥିମଧ୍ୟରେ ଭାରତୀୟ ନାଗରିକ ମଧ୍ୟ ସାମିଲ ରହିଛନ୍ତି। ଅର୍ଥାତ୍‌ ଭାରତୀୟ ନାଗରିକ କୁଏତରେ ପ୍ରବେଶ କରିପାରିବେ ନାହିଁ। ସୂଚନାଯୋଗ୍ୟ, ମହାମାରୀ କରୋନା ଯୋଗୁ ମାର୍ଚ୍ଚରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଅଗଷ୍ଟ ୧ରୁ ଏହି ସେବା ଆରମ୍ଭ କରିବାକୁ କୁଏତ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ୭ଟି ଦେଶର ନାଗରିକଙ୍କୁ କୁଏତ ପ୍ରବେଶ ଉପରେ ବାରଣ କରାଯାଇଛି। ଏହି ୭ଟି ଦେଶ ହେଉଛି, ବାଂଲାଦେଶ, ଫିଲିପାଇନ୍ସ, ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ଇରାନ ଓ ନେପାଳ। କାରଣ ଦକ୍ଷିଣ ଏସିଆର ଏହି ଦେଶଗୁଡ଼ିକରେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ଅଧିକ ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସୂଚନା ମୁତାବକ ଜୁଲାଇ ୨୯ ସୁଦ୍ଧା ଏହି ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୬ ହଜାରରେ ପହଞ୍ଚିଛି। ସେଥିମଧ୍ୟରୁ ୫୦ହଜାରରୁ ଉର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇଥିବା ବେଳେ କରୋନା ଜନିତ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Share