ହଟିପାରେ କରୋନା ଜରୁରୀକାଳୀନ ପରିସ୍ଥିତି, ଡବ୍ଲୁଏଚଓର ପ୍ରସ୍ତୁତି ଆରମ୍ଭ…

ଜେନେଭା, ୧୩।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। କରୋନା ମହାମାରୀର ଦୁଇ ବର୍ଷ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହି ସଙ୍କଟକୁ ସମାପ୍ତ କରିବାର ମାନଦଣ୍ଡ ଉପରେ ବିଚାର କରିବା ଆରମ୍ଭ କରିଛି। ୨୦୨୦ ଜାନୁୟାରୀ ୩୦ରେ ଡବ୍ଲୁଏଚଓ ପକ୍ଷରୁ ଜନସ୍ବାସ୍ଥ୍ୟ ସମ୍ପର୍କିତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।

ଯଦିଓ ଡବ୍ଲୁଏଚଓ କରୋନା ଜରୁରୀକାଳୀନ ପରିସ୍ଥିତିର ସମାପ୍ତି ଘୋଷଣା ଉପରେ ବିଚାର କରୁନାହିଁ କିନ୍ତୁ ଜରୁରୀକାଳୀନ ପରିସ୍ଥିତି ସମାପ୍ତ ହୋଇଛି ବୋଲି କେଉଁ ଅବସ୍ଥା ସୂଚିତ କରିବ ତାହାର ଅନୁସନ୍ଧାନ କରୁଛି। ଅନେକ ଦେଶରେ କରୋନା ମାମଲା ହ୍ରାସ ହୋଇଥିବା ରିପୋର୍ଟ କରିଛନ୍ତି। କିନ୍ତୁ ହଂକଂରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏବଂ ଚାଇନା ଚଳିତ ସପ୍ତାହରେ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୧୦୦୦ ରୁ ଅଧିକ ନୂତନ ମାମଲା ରିପୋର୍ଟ କରିଛି।

କରୋନା ଉପରେ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ନିୟମାବଳୀ ଜରୁରୀକାଳୀନ କମିଟି ସଙ୍କଟ ପରିସ୍ଥିତିକୁ ସମାପ୍ତ କରିବାକୁ ଘୋଷଣା କରିବା ଲାଗି ଆବଶ୍ୟକ ମାନଦଣ୍ଡ ଉପରେ ଦୃଷ୍ଟି ରଖିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଡବ୍ଲୁଏଚଓ ଏକ ଇମେଲରେ କୁହାଯାଇଛି ଯେ କରୋନା ଉପରେ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ନିୟମାବଳୀ ଜରୁରୀକାଳୀନ କମିଟି କଟକଣାକୁ ଦୂର କରିବା ପାଇଁ ଆବଶ୍ୟକ ମାନଦଣ୍ଡ ଉପରେ ଦୃଷ୍ଟି ରଖିଛି। ତଥାପି, ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ ।

ଗତ ମାସରେ, ଡବ୍ଲୁଏଚଓର ଜରୁରୀକାଳୀନ ପରିସ୍ଥିତିର ମୁଖ୍ୟ କହିଛନ୍ତି ଯେ ଟିକାକରଣ ଏବଂ ଔଷଧର ବୃହତ ପାର୍ଥକ୍ୟ ଶୀଘ୍ର ସମାଧାନ ହେଲେ କରୋନା ମହାମାରୀ ମୃତ୍ୟୁ, ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ଲକ୍‌ଡାଉନ୍‌ ଭଳି ସ୍ଥିତିରେ ଚଳିତ ବର୍ଷ ଶେଷ ସୁଦ୍ଧା ସୁଧାର ଆସିପାରେ।

ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ଆୟୋଜିତ ଭାକ୍ସିନ୍‌ ଇକ୍ୱିଟି ଉପରେ ଏକ ପ୍ୟାନେଲ ଆଲୋଚନା ସମୟରେ ଡବ୍ଲୁଏଚଓ ଜରୁରୀକାଳୀନ ପରିସ୍ଥିତି ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକମାଇକେଲ ରିୟାନ କହିଛନ୍ତି ଯେ ଆମେ କରୋନା ଭୂତାଣୁକୁ କେବେ ବି ଦୂର କରିପାରିବୁ ନାହିଁ। କାରଣ ଏହି ପରି ମହାମାରୀ ଭୂତାଣୁ ଶେଷରେ ଇକୋସିଷ୍ଟମର ଏକ ଅଂଶ ହୋଇଯାଏ।

ପିଟିଆଇ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ ଚଳିତ ବର୍ଷ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ସମାପ୍ତ କରିବାର ସମ୍ଭାବନା ରହିଛି।

Share