ବେଜିଂ,୧୪।୧ : ଚାଇନାରେ କରୋନା ମହାମାରୀ ତାଣ୍ଡବ ରଚିଛି। ମାସକ ମଧ୍ୟରେ ଦେଶରେ ୬୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଗତ ୩୦ ଦିନ ମଧ୍ୟରେ ଶନିବାର ଜାନୁୟାରର ୧୪ ତାରିଖ ସୁଦ୍ଧା ଦେଶରେ ୫୯,୯୩୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
୮ ଡିସେମ୍ବର ୨୦୨୨ରୁ ୧୨ ଜାନୁୟାରୀ ୨୦୨୩ ମଧ୍ୟରେ ବିଭିନ୍ନ ହସ୍ପିଟାଲରେ ଏସବୁ ଆକ୍ରାନ୍ତଙ୍କ ମୁତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଛି। ସେଥିମଧ୍ୟରୁ କରୋନା ଯୋଗୁ ନିଃଶ୍ୱାସ ନେବାରେ ସମସ୍ୟା ଯୋଗୁ ୫,୫୦୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ କରୋନାରେ ଆକ୍ରାନ୍ତ ହେବା ସହିତ କର୍କଟ ,ହୃଦଘାତ ଅବା ଅନ୍ୟ ସମସ୍ୟାରେ ୫୪,୪୩୫ ଜଣଙ୍କର ମୃତ୍ୟୁ ଘଟିଛି।
ଚାଇନାର କରୋନା ଆକ୍ରାନ୍ତଙ୍କ ରିପୋର୍ଟ ପ୍ରଦାନ ନ କରୁଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସମେତ ବିଶ୍ୱର ଅନ୍ୟ ଦେଶ ଏନେଇ ଚିନ୍ତିତ ଥିଲେ। ଅନ୍ତର୍ଜାତୀୟ ଚାପ ଯୋଗୁ ଚାଇନା ଦେଶରେ ବାଧ୍ୟ ହୋଇ ରିପୋର୍ଟ ପ୍ରଦାନ କରିଛି। ତେବେ ଏହା ପ୍ରକୃତ ରିପୋର୍ଟ ନୁହେଁ ବୋଲି ଚର୍ଚ୍ଚା ହେଉଛି। ମୃତ୍ୟୁ ସଂଖ୍ୟା ଏହାଠାରୁ ବହୁଗୁଣା ଅଧିକ ବୋଲି କୁହାଯାଉଛି।