ବିଶେଷଜ୍ଞଙ୍କ ଦାବି ମୁମ୍ବାଇ-ଦିଲ୍ଲୀର କିଛି ଅଞ୍ଚଳରେ ଆସି ସାରିଲାଣି କରୋନାର ତୃତୀୟ ଲହର

ନୂଆଦିଲ୍ଲୀ,୩୧ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପି ସାରିଲାଣି । ଏବେ ଦେଶରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଗୁରୁବାର ସୁଦ୍ଧା ୧୨୦୦ରେ ପହଞ୍ଚିଥିବା ବେଳେ ମହାରାଷ୍ଟ୍ରରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଓମିକ୍ରନ୍ ଦ୍ୱାରା ସବୁଠାରୁ ଅଧିକ ସଂକ୍ରମିତ ରାଜଧାନୀ ଦିଲ୍ଲୀରେ ଚିହ୍ନଟ କରାଯାଇଥିବା ବେଳେ ଏହା ପଛକୁ ରହିଛି ମହାରାଷ୍ଟ୍ର । ଏସବୁ ସ୍ଥାନରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨ଶହ ଅତିକ୍ରମ କରିଯିବା ଚିନ୍ତାର କାରଣ ପାଲଟିଛି । ଏହାସହ ବିଶେଷଜ୍ଞମାନେ ଦାବି କରିଛନ୍ତି କି ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଆସି ସାରିଲାଣି । କାରଣ ଏବେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନରେ ସଂକ୍ରମିତ ହେଉଥିବା ଅନେକ ଲୋକଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥିବାରୁ ତୃତୀୟ ଲହର ଆସିଥିବା ଅନୁମାନ କରାଯାଉଛି । ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇର କିଛି ଅଞ୍ଚଳରେ ତୃତୀୟ ଲହର ଆସିଥିବା କୁହାଯାଉଥିବା ବେଳେ ଏଠାରେ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ବି ଲାଗୁ କରାଗଲାଣି । ମହାରାଷ୍ଟ୍ରରେ ୧୪୪ ଧାରା ସହ ଦିଲ୍ଲୀରେ ନାଇଟ କର୍ଫ୍ୟୁକୁ କଡାକଡି ପାଳନ କରାଯାଉଛି । ଆଗକୁ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢିଲେ ଲକଡାଉନ କରାଯାଇପାରେ ବୋଲି ଅନୁମାନ କରାଯାଉଛି । ସେପଟେ ମହାରାଷ୍ଟ୍ର ଓ ରାଜଧାନୀ ଦିଲ୍ଲୀରେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ଆଉ ଏକ ଚିନ୍ତାର କାରଣ ପାଲଟିଛି ।

Share