ତୃତୀୟ ଲହର ସହିତ କରୋନା ମହାମାରୀ ଶେଷ ମୁହାଁ …

ନୂଆଦିଲ୍ଲୀ,୧୪ା୨: ଦେଶରେ ବ୍ୟାପିଥିବା କରୋନା ମହାମାରୀର ତୃତୀୟ ଲହର ଏବେ ଶେଷ ମୁହାଁ ହେବାରେ ଲାଗିଛି। ଏହା ସହିତ ଦେଶ କରୋନା ମହାମାରୀ କବଳରୁ ମୁକୁଳିବାର ଆଶା ବଢ଼ି ଚାଲିଛି। ବର୍ତ୍ତମାନ ଦେଶରେ କେବଳ ୧୦୦ ଟି ଜିଲାରେ କରୋନା ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ରବିବାର ଦିନ ସାରା ଦେଶରେ ୪୪,୮୭୭ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ରିପୋର୍ଟ ହୋଇଛି। ଏହା ଜାନୁୟାରୀ ୪ ଠାରୁ ପ୍ରଥମ ଥର ପାଇଁ ଏହା ୫୦,୦୦୦ରୁ କମ ହୋଇଛି।

ଗତ ସପ୍ତାହ ତୁଳନାରେ କରୋନା ସଂକ୍ରମଣରେ ୫୬ ପ୍ରତିଶତ ହ୍ରାସ ଘଟିଛି। ଏହା ସହିତ ଆସନ୍ତା ସପ୍ତାହରେ କରୋନା ସକ୍ରିୟ ମାମଲା ସଂଖ୍ୟା ୫ ଲକ୍ଷରୁ କମ ହେବ ବୋଲି ଆଶା କରାଯାଉଛି। ଜାତୀୟ ସାପ୍ତାହିକ ପଜିଟିଭିଟି ହାର ରବିବାର ୪.୪୬ ପ୍ରତିଶତ ଥିବାବେଳେ ଗତ ସପ୍ତାହରେ ଏହା ୧୦.୨୦ ପ୍ରତିଶତ ରେକର୍ଡ କରାଯାଇଥିଲା।

ବର୍ତ୍ତମାନ ଦେଶର ପାଞ୍ଚଟି ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ସଙ୍କଟ ଜନକ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଫେବୃଆରୀ ୫ ରୁ ୧୧ ମଧ୍ୟରେ ମୋଟ ୧୦୫ ଟି ଜିଲାରେ ୧୦ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ପଞ୍ଜିକୃତ ହୋଇଛି। ଯେଉଁ ରାଜ୍ୟଗୁଡିକରେ ୧୦ ପ୍ରତିଶତରୁ ଅଧିକ ଜିଲାର ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ସେଥିମଧ୍ୟରେ ରାଜସ୍ଥାନ, କେରଳ, ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମ ରହିଛନ୍ତି।

କରୋନା ମାମଲାର ହ୍ରାସକୁ ଦୃଷ୍ଟିରେ ରଖି ସୋମବାର ଠାରୁ ପ୍ରତିବନ୍ଧକ କୋହଳ କରାଯାଇଛି। ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ବହୁ ରାଜ୍ୟରେ ପ୍ରାଥମିକରୁ ଅଷ୍ଟମ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲାଯାଇଛି। ଏହା ବ୍ୟତୀତ ଫେବୃଆରୀ ୧୪ ଠାରୁ ଦିଲ୍ଲୀରେ ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ୭ ଦିନ ପାଇଁ କ୍ୱାରାଣ୍ଟାଇନ୍‌ ନିୟମକୁ ମଧ୍ୟ କୋହଳ କରାଯାଇଛି। ବିଦେଶୀ ଯାତ୍ରୀମାନଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଭାରତରେ ପହଞ୍ଚିବା ପରେ ସେମାନଙ୍କୁ ଆଗାମୀ ୧୪ ଦିନ ପାଇଁ ନିଜ ନିଜର ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ପଡ଼ିବ।

Share