ନୂଆଦିଲ୍ଲୀ,୨୧।୩: ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ୮୪୬ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧୯୭ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୪ ମାସ ପରେ ଦେଶରେ କରୋନା ସମାନ ସ୍ଥିତିକୁ ଫେରିଛି। ଏହା ପୂର୍ବରୁ ୧୧୪ ଦିନ ତଳେ ୨୦୨୦ ନଭେମ୍ବର ୨୬ରେ ଦେଶରେ ୪୩ ହଜାର ୮୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। କରୋନା ମୁକାବିଲା ପାଇଁ ସାର୍ବଜନୀକ ଟିକାକରଣ କାର୍ଯ୍ୟ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଲକ୍ଷ ୪୦ ହଜାର ୪୪୯ କରୋନା ପ୍ରତିଷେଧକ ଟିକା ଲୋକଙ୍କୁ ଦିଆଯାଇଛି। ଜାନୁୟାରୀ ୧୬ରୁ ଆରମ୍ଭ ହୋଇଥିବା ଟିକାରଣ ଅଭିଯାନରେ ମାର୍ଚ୍ଚ ୧୯ ସୁଦ୍ଧା ୪ କୋଟି ୪୬ ଲକ୍ଷ ୩ ହଜାର ୮୪୧ ଡୋଜ୍ ଦିଆଯାଇଛି। ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ, ଗୁଜରାଟ, ତାମିଲନାଡୁ ଏବଂ କେରଳ ଆଦି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ମହାରାଷ୍ଟ୍ରରେ ସ୍ଥିତି ଅଧିକ ଗୁରୁତର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୭ ହଜାର ୧୨୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୨ଜଣଙ୍କ ମୃତ୍ୟୁ ଘଟିଛି।