ବାରଣାସୀ, ୨୪।୮: ଉତ୍ତର ପ୍ରଦେଶ ବାରଣାସୀସ୍ଥିତ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍ୟୁ) କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ଆକ୍ରାନ୍ତ ଯୁବକ ୪ର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୋଲିସର ସୂଚନା ଅନୁସାରେ ଅଗଷ୍ଟ ୧୬ରେ ଅଙ୍କିତ ନାମକ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ହସ୍ପିଟାଲର ଜରୁରୀକାଳୀନ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଯୁବକଙ୍କ କରୋନା ଟେଷ୍ଟ କରାଯାଇଥିବାବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କୁ ଚିକିତ୍ସା ଲାଗି କୋଭିଡ୍ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ରବିବାର ୪ର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ହସ୍ପିଟାଲର ପ୍ରଫେସର ଏସ୍.କେ. ମାଥୁରଙ୍କ କହିବାନୁଯାୟୀ, ଯୁବକଜଣଙ୍କ ମାନସିକ ରୋଗରେ ପୀଡ଼ିତ ଥିଲେ। ଯୁବକଙ୍କୁ ଘରେ ଆଇସୋଲେସନରେ ରଖିବାକୁ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। କିନ୍ତୁ ପରିବାର ଲୋକ ଏଥିରେ ରାଜି ହୋଇ ନ ଥିଲେ।