ସମ୍ପର୍କରେ ଦୂରତା ଆଣୁଛି କରୋନା ସଂକ୍ରମଣ: ଦାମ୍ପତ୍ୟ ଜୀବନ ବିପର୍ଯ୍ୟସ୍ତ

ଓ୍ବାଶିଂଟନ, ୨୩।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଏବେ ଦାମ୍ପତ୍ୟ ଜୀବନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଦମ୍ପତିମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ବିଶେଷଜ୍ଞମାନେ ବାରଣ କରିଛନ୍ତି। ଏହାଦ୍ୱାରା ଆକ୍ରାନ୍ତ ସାଥୀଙ୍କଠାରୁ କରୋନା ସଂକ୍ରମଣ ଅନ୍ୟ ଜଣଙ୍କୁ ହେବାର ଆଶଙ୍କା ରହିଥିବା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କରୋନା ଶାରୀରିକ ସମ୍ପର୍କ ଦ୍ୱାରା ବ୍ୟାପି ନ ଥାଏ। ମାତ୍ର ଆକ୍ରାନ୍ତ ହୋଇଥିବା ସାଥୀଙ୍କ ନିକଟକୁ ଗଲେ ସଂକ୍ରମଣର ଆଶଙ୍କା ରହିଥାଏ। ଯଦି କୌଣସି ଲକ୍ଷଣ ପ୍ରକାଶ ପାଉଛି ତେବେ ଘରେ ଦମ୍ପତିମାନେ ପରସ୍ପର ମଧ୍ୟରେ ୨ ମିଟର ଦୂରତା ବଜାୟ ରଖିବା ଆବଶ୍ୟକ। ଅପରପକ୍ଷରେ ନମୁନା ରିପୋର୍ଟ କରୋନା ପିଜିଟିଭ୍‌ ଆସିଲେ ତୁରନ୍ତ ନିଜକୁ ଆଇସୋଲେଶନ କରିନେବା ଉଚିତ୍‌। ଏହା ଦ୍ୱାରା ଅନ୍ୟ ସାଥୀଙ୍କୁ କରୋନା ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ଆଉ ରହି ନ ଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ପରିଷ୍କାର ପରିଚ୍ଛନ୍ନତା, ମାସ୍କ୍‌ର ବ୍ୟବହାର ଏବଂ ଆକ୍ରାନ୍ତଙ୍କଠାରୁ ଦୂରତା ବଜାୟ ରଖିଲେ କରୋନା ସହିତ ଲଢ଼େଇରେ ମଣିଷ ସମାଜ ବିଜୟୀ ହୋଇ ପାରିବ ବୋଲି ବିଶେଷଜ୍ଞ କହିଛନ୍ତି।