କରୋନା ତାଣ୍ଡବ ଜାରି: ୪୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତ ୨ ଦିନ ଧରି ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଉପରେ ରହୁଛି। ସେହିପରି ମୃତକଙ୍କ ସଂଖ୍ୟା ହଜାରେ ଉପରେ ରହୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସୋମବାର କରୋନା ସଂକ୍ରମଣ ଏହାର ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୦ ହଜାର ୮୦୨ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ହଜାରେ ୧୬ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୪ ହଜାର ୬୧୪ ଛୁଇଁଛିି। ସେହିପରି ମୃତକଙ୍କ ସଂଖ୍ୟା ୭୧ହଜାର ୬୪୨ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ୩୨ ଲକ୍ଷ ୫୦ ହଜାର ୪୨୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୮ ଲକ୍ଷ ୮୨ ହଜାର ୫୪୨ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ସେପ୍ଟେମ୍ବର ୬ ସୁଦ୍ଧା ଦେଶରେ ୪ କୋଟି ୯୫ ଲକ୍ଷ ୫୧ ହଜାର ୫୦୭ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ୭ ଲକ୍ଷ ୨୦ ହଜାର ୩୬୨ ଜଣଙ୍କ ନମୁନା ପରୀକ୍ଷା ହୋଇଛି।

Share