୭ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ,୭ା୭(ପି.ଟି.): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବାବେଳେ ସୋମବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ୨୪ ଘଣ୍ଟା ମଧ୍ୟରେ ୨୪,୨୪୮ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ୪୨୫ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୧୪,୦୧୫ରେ ପହଞ୍ଚତ୍ଥିବାବେଳେ ୨୦,୧୦୦ ଜଣଙ୍କ ଜୀବନ ଗଲାଣି। କ୍ରମାଗତ ୪ ଦିନ ହେଲା ଦୈନିକ ୨୦ ହଜାରରୁ ଅଧିକ ନୂଆ ପଜିଟିଭ୍‌ ବାହାରୁଛନ୍ତି। ସଂକ୍ରମଣରେ ଭାରତ ରବିବାର ରୁଷିଆକୁ ଅତିକ୍ରମ କରି ତୃତୀୟ ସ୍ଥାନରେ ପହଞ୍ଚତ୍ଥିଲା।
ସୁସ୍ଥ ହେଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସୋମବାର ସୁଦ୍ଧା ଦେଶରେ ୪,୨୪,୪୩୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବିଭିନ୍ନ ହସ୍ପିଟାଲରେ ୨,୫୩,୨୮୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନନ୍ତି। ଦେଶରେ କୋଭିଡ୍‌-୧୯ ଆରୋଗ୍ୟ ହାର ୬୦.୮୫ ପ୍ରତିଶତ ରହିଛି। ସୋମବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଦେଶରେ କୋଟିଏରୁ ଊର୍ଦ୍ଧ୍ୱ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ କୁହାଯାଇଛି। ରବିବାର ୧,୮୦,୫୯୬ ଜଣଙ୍କ ସ୍ବାବ୍‌ ନମୁନା ପରୀକ୍ଷା କରାଯାଇଥିଲା। ଏହାକୁ ମିଶାଇ ମୋଟ ୧,୦୦,୦୪,୧୦୧ ଜଣଙ୍କର କୋଭିଡ୍‌ ପରୀକ୍ଷା ହେଲାଣି ବୋଲି ଆଇସିଏମ୍‌ଆର୍‌ର ବୈଜ୍ଞାନିକ ତଥା ଗଣମାଧ୍ୟମ ସଂଯୋଜକ ଡ. ଲୋକେଶ ଶର୍ମା କହିଛନ୍ତି। ଦେଶରେ ମୋଟ ୭୮୮ ସରକାରୀ ଓ ୩୧୭ ଘରୋଇ ଲାବରେଟୋରିରେ ପରୀକ୍ଷା କରାଯାଉଛି।

Share