ଟଳିନି ବିପଦ, ଦେଶର ୧୪୧ ଜିଲାରେ ଏବେବି କରୋନା ସଂକ୍ରମଣ ୧୦ ପ୍ରତିଶତରୁ ଅଧିକ

ନୂଆଦିଲ୍ଲୀ,୧୧ ।୨: କରୋନା ସଂକ୍ରମଣକୁ ନେଇ ଏବେ ରାଷ୍ଟ୍ରୀୟ ସ୍ତରରେ ଏକ ଚିତ୍ର ସାମ୍ନାକୁ ଆସିଛି । ଗୋଟିଏ ପଟେ ଯେଉଁଠି ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି ଅନ୍ୟପଟେ ଦେଶର ୧୪୧ ଜିଲାରେ ଏବେବି ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ରହିଛି । କେବଳ ସେତିକି ନୁହେଁ ୧୦ ଜିଲାରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । କେରଳ ସମେତ ଆଉ କିଛି ରାଜ୍ୟରେ ପରିସ୍ଥିତି ଚିନ୍ତାଜନକ ରହିଛି । ଅନ୍ୟପଟେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ବି କମ୍ ହେଉନି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ଗୁରୁବାର ସୂଚନା ଦେଇ କହିଛନ୍ତି କି ୧୪୧ ଜିଲାରେ କରୋନାର ସାପ୍ତାହିକ ସଂକ୍ରମଣ ୧୦ ପ୍ରତିଶତରୁ ଅଧିକ ରହିଛି । ୧୬୦ ଜିଲାରେ ଏବେବି ସଂକ୍ରମଣ ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି । କେରଳ, ମହାରାଷ୍ଟ୍ର, ତାମିଲନାଡୁ ଓ କର୍ନାଟକରେ ଏବେବି ସକ୍ରିୟ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେବି ଆମେ କରୋନା ନିୟମ ମାନିବା ସହ ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି । ସେହିପରି କରୋନା ସଂକ୍ରମଣକୁ ନେଇ ମିଜୋରାମ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମର ସ୍ଥିତି ଚିନ୍ତାଜନକ ରହିଛି ।

Share