କରୋନା ଯୋଦ୍ଧାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ହସ୍ପିଟାଲ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): କରୋନା ଯୋଦ୍ଧାଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଆଦିତ୍ୟ ଅଶ୍ୱିନୀ କୋଭିଡ୍‌-୧୯ ହସ୍ପିଟାଲରେ କରୋନା ସଂକ୍ରମିତ ଡାକ୍ତର ଓ ଅନ୍ୟ କୋଭିଡ୍‌ ଯୋଦ୍ଧାଙ୍କ ଚିକିତ୍ସା କରାଯିବ। ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡିଏମ୍‌ଇଟି ଓ ଡିଏଚ୍‌ଏସ୍‌ଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜ୍ୟରେ କରୋନା ରୋଗୀଙ୍କୁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଓ ଅନ୍ୟ କରୋନା ଯୋଦ୍ଧାମାନେ ମଧ୍ୟ କୋଭିଡ୍‌-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି। ନିଜ ଜୀବନକୁ ବିପଦରେ ପକାଇ ସେମାନେ କରୋନା ଲଢ଼େଇର ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି। କିନ୍ତୁ କରୋନାରେ ଆକ୍ରାନ୍ତ ହେବାପରେ ସେମାନେ ଡାକ୍ତରଖାନାରେ ଠିକ୍‌ ସମୟରେ ଶଯ୍ୟା କିମ୍ବା ଚିକିତ୍ସା ପାଇପାରୁନାହାନ୍ତି। ଫଳରେ ସେମାନଙ୍କ ମୃତ୍ୟୁ ହେଉଛି। କରୋନା ଯୋଦ୍ଧାଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ହସ୍ପିଟାଲର ବ୍ୟବସ୍ଥା କରିବାକୁ ଓଡ଼ିଶା ଡାକ୍ତରୀ ସେବା ସଂଘ ଓ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ଦାବିକରି ଆସୁଥିଲା। ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ଏପର୍ଯ୍ୟନ୍ତ ୧୯ ଡାକ୍ତରଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଡାକ୍ତର ଆକ୍ରାନ୍ତ ହୋଇଛନ୍ତି।

Share