ପୁଣି ଫେରିଲା କରୋନା, ୧୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କଲେ ସରକାର…

ମସ୍କୋ,୨୮।୧୦: ରୁଷିଆରେ ପୁଣି କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୯୬ ହୋଇଛି। ସେହିପରି ମୃତକଙ୍କ ସଂଖ୍ୟା ୧,୧୫୯ରେ ପହଞ୍ଚିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ବ୍ଳୂାଡିମୀର ପୁଟିନ୍‌ ସରକାରଙ୍କ ପକ୍ଷରୁ ଗୁରୁବାର ୧୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି।

ଦେଶର ସମସ୍ତ ସ୍କୁଲ୍‌ କଲେଜ, ମଲ୍‌ ରେଷ୍ଟୁରାଣ୍ଟ୍‌, ଦୋକାନ ବଜାର, ଜିମ୍‌, ମନୋରଞ୍ଜନ ସ୍ଥଳ ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ହୋଟେଲ ଏବଂ ରେଷ୍ଟୁରାଣ୍ଟରୁ ଡେଲିଭରୀ ଅର୍ଡର ନିଆଯାଇ ପାରିବ। ସେହିପରି ଔଷଧ ଦୋକାନ ସହିତ ବିଭିନ୍ନ ଜରୁରୀକାଳୀନ ସେବା ପୂର୍ବପରି ଅବ୍ୟାହତ ରହିବ। ବିଭିନ୍ନ କାର୍ଯ୍ୟାଳୟ ସହିତ ସାର୍ବଜନୀକ ପରିବହନ ସେବାକୁ ବନ୍ଦ ରଖାଯାଇ ସଂକ୍ରମଣ ରୋକିବାର ପ୍ରୟାସ କରାଯିବ ବୋଲି ପୁଟିନ୍‌ ସରକାରଙ୍କ ପକ୍ଷରୁ କୁହାଯାଇଛି।

୬୦ ବର୍ଷ ଏବଂ ଏହାଠାରୁ ଅଧିକ ବୟସ୍କ ଲୋକଙ୍କୁ ଘରେ ରହିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଶରେ ୮୫ଟି ଅଞ୍ଚଳରେ ସଂକ୍ରମଣ ସ୍ଥିତି ସଙ୍କଟ ଜନକ ରହିଛି। ସେଠାରେ କରୋନା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ସେହିପରି ଟିକା ନେଇ ନଥିବା ଲୋକେ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି।

Share