ଏଠାରେ ହାରୁଛି କରୋନା: ୧୦୦ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ

ଓ୍ବିଲିଙ୍ଗଟନ, ୯।୮: ସାରା ପୃଥିବୀରେ ପ୍ରତିଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ତେବେ ନ୍ୟୁଜିଲାଣ୍ଡରେ କରୋନା ପରାଜିତ ହୋଇଛି। ଗତ ୧୦୦ ଦିନ ମଧ୍ୟରେ ଏଠାରେ ଜଣେ ବି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ନାହିଁ। ଏନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଗତ ୩ ମାସରୁ ଅଧିକ ସମୟ ଧରି କରୋନା ସଂକ୍ରମଣ ଶୂନରେ ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ କରୋନା ହାରିଥିବାରୁ ଅନ୍ତର୍ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନଙ୍କୁ ପ୍ରଶଂସା କରାଯାଉଛି। ତାଙ୍କ ସରକାରଙ୍କ ଯୋଜନାବଦ୍ଧ ଉଦ୍ୟମ ଯୋଗୁ ଦେଶରେ କରୋନା ସଂକ୍ରମଣ ପାଶ୍ଚାତ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍‌ ରହିପାରିଥିବା ଚର୍ଚ୍ଚା ହେଉଛି। ସଂକ୍ରମଣ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଥିବା ଓଟାଗୋ ବିଶ୍ୱବିଦ୍ୟାଳୟର ଏପିଡୋମିୟୋଲୋଜିଷ୍ଟ ପ୍ରଫେସର ଡ. ମାଇକେଲ ବେକର ସୂଚନା ଦେଇଛନ୍ତି। ଶେଷରେ ସରକାରଙ୍କ ରଣନୀତି ସଫଳ ହୋଇଥିବା ସେ କହିଛନ୍ତି।

Share