ଭୟଙ୍କର ରୂପ ନେଉଛି କରୋନା: ଗଜପତି ଜିଲାପାଳ ଜାରିକଲେ କଟକଣା

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.): ଭୟଙ୍କର ରୂପ ନେଉଛି କରୋନା। ଦେଶ ତଥା ରାଜ୍ୟରେ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ପୁଣି ଗଜପତି ଜିଲାରେ ୬୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ପଜିଟିଭ୍‌ ସଂଖ୍ୟା ମୋଟ ୪୨୭୨ରେ ପହଞ୍ଚିଛି। ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛ ଜିଲା ପ୍ରଶାସନ । ଏହି ପରିପ୍ରେକ୍ଷୀରେ ଗଜପତି ଜିଲାପାଳ ଅନୁପମ ସାହା ଶନିବାରଠାରୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି। ରାତି ୯ଟାରୁ ପରଦିନ ସକାଳ ୫ଟା ଯାଏ ଏହି କଟକଣା ବଳବତ୍ତର ରହିବ। ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଏହା କାର୍ଯ୍ୟକାରୀ ହେବବୋଲି ସୂଚନା ଦେଇଛନ୍ତି। ଜନତାଙ୍କ ଧନଜୀବନ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହାକୁ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।