ପୁଣି କରୋନା ଆତଙ୍କ: ସ୍କୁଲ ହଷ୍ଟେଲର ୧୯୦ ଛାତ୍ର ଆକ୍ରାନ୍ତ

ମୁମ୍ବାଇ,୨୫।୨: ଦେଶର କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରର ଓ୍ବାଶିମ୍‌ ଜିଲାର ରେସୋଡ ତହସିଲ୍‌ର ଦେଙ୍ଗାଓ୍ବସ୍ଥିତ ଏକ ସ୍କୁଲ ହଷ୍ଟେଲର ୧୯୦ ଛାତ୍ରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଛାତ୍ରମାନେ ଅମରାବତୀ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ହଷ୍ଟେଲରେ ୨୨୯ଜଣ ଛାତ୍ର ରହୁଥିଲେ। ଅନ୍ୟ ଛାତ୍ରମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ହଜାର ୮୦୭ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୮୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବିଦର୍ଭ, ମୁମ୍ବାଇ ଏବଂ ଅମରାବତୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ କଟକଣାକୁ କଡ଼ାକଡ଼ି କରାଯାଇଛି।

Share