ଚାଇନାର ଲ୍ୟାବରୁ ହୋଇଛି କରୋନା ଲିକ୍‌: ଏଫବିଆଇ…

ଓ୍ବାଶିଂଟନ,୧।୩ : କରୋନା ଭାଇରସ ବିଷୟରେ ଏକ ବଡ ଖବର ଆସିଛି। ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ) ର ନିର୍ଦ୍ଦେଶକ ଦାବି କରିଛନ୍ତି ଯେ ଏହି ଭୂତାଣୁ ଚାଇନାର ଏକ ଲ୍ୟାବରେ ସୃଷ୍ଟି ହୋଇଛି। ଏଠାରୁ ଏହା ଲିକ୍‌ ହୋଇ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା। ଏଫବିଆଇ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ରେ କହିଛନ୍ତି ଯେ ଚାଇନା ସରକାରଙ୍କ ନିୟନ୍ତ୍ରିତ ଲାବୋରେଟୋରୀରେ କୋଭିଡ-୧୯ ପ୍ରସ୍ତୁତ ହୋଇଛି ବୋଲି ବ୍ୟୁରୋ ବିଶ୍ୱାସ କରେ। ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଖ୍ରୀଷ୍ଟୋଫର କହିଛନ୍ତି, ’ଏଫବିଆଇ ଦୀର୍ଘ ଦିନ ଧରି ଆକଳନ କରିଛି ଯେ ମହାମାରୀର ଉତ୍ପତ୍ତି ଏକ ସମ୍ଭାବ୍ୟ ଲାବୋରେଟୋରୀ ଘଟଣା।

କରୋନାଭାଇରସ ବିସ୍ଫୋରଣ ପରେ ଏଫବିଆଇର ଏହା ହେଉଛି ପ୍ରଥମ ସରକାରୀ ବିବୃତ୍ତି। ତେବେ ଚାଇନା ଏଭଳି ଅଭିଯୋଗକୁ ଖଣ୍ଡନ କରିବାରେ ଲାଗିଛି। ଖ୍ରୀଷ୍ଟୋଫରଙ୍କ ବିବୃତ୍ତିର ଗୋଟିଏ ଦିନ ପୂର୍ବରୁ ଚାଇନାରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଚାଇବା କରୋନାଭାଇରସ ବିଷୟରେ ଅଧିକ ସଚ୍ଚୋଟ ହେବାକୁ କହିଥିଲେ।

ଚାଇନା ମହାମାରୀର ଉତ୍ସ ଜାଣିବା ପାଇଁ ପ୍ରୟାସରେ ବାଧା ସୃଷ୍ଟି କରୁଛି। ଏହା ସମସ୍ତଙ୍କ ପାଇଁ ଦୁର୍ଭାଗ୍ୟଜନକ। କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଚାଇନାର ଉହାନର ଏକ ଲ୍ୟାବରେ ଏହି ଭୂତାଣୁ ବିକଶିତ କରାଯାଇଥିଲା। ଏଠାରୁ ଏହା ପଶୁମାନଙ୍କ ନିକଟରେ ପହଞ୍ଚିଲା ଏବଂ ପରେ ପଶୁମାନଙ୍କଠାରୁ ମଣିଷକୁ ଆସିଥିଲା।

ଉହାନରେ ବିଶ୍ୱର ଅଗ୍ରଣୀ ଭାଇରସ ଲାବୋରେଟୋରୀ ହେଉଛି ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି। କରୋନାଭାଇରସ ସମ୍ବନ୍ଧରେ ଏହିଠାରେ ଅନୁସନ୍ଧାନ ଚାଲିଥିଲା। ଏହାଠାରୁ ମାତ୍ର ୪୦ ମିନିଟ ଦୂରରେ ଏକ ସାମୁଦ୍ରିକ ଖାଦ୍ୟ ଏବଂ ମାଂସ ବଜାର ଅଛି। ଭୂତାଣୁ ଲିକ ହେବା ପରେ ଏହା ଏହି ବଜାର ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଥିଲା।

Share