ଏହି ବସ୍ତିରେ ହାରୁଛି କରୋନା: ୧୦ ଦିନରେ ଶୂନ ମୃତ୍ୟୁ

ମୁମ୍ବାଇ, ୧୨।୮: ଏସିଆର ସର୍ବ ବୃହତ ମୁମ୍ବାଇର ଧରାବି ବସ୍ତିରେ କରୋନା ହାରିବାରେ ଲାଗିଛି। ଗତ ୧୦ ଦିନ ଧରି ଏଠାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଶୂନ ରହିଛି। ଏହି ସମୟ ମଧ୍ୟରେ କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ନାହିଁ। ମଧ୍ୟ ମୁମ୍ବାଇରେ ଥିବା ଏହି ବସ୍ତିରେ ଏପ୍ରିଲ୍‌ ୧ରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ତାଙ୍କର ମୃତ୍ୟ ମଧ୍ୟ ଘଟିଥିଲା। ବସ୍ତିରେ ୧୦ ଲକ୍ଷରୁ ଅଧିକ ଲୋକ ବାସ କରୁଥିବାରୁ ଏଠାରେ ଜନସଂଖ୍ୟା ସାନ୍ଦ୍ରତା ଅଧିକ ରହିଛି। ଫଳରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ପର ନ ଥିଲା। ତେବେ ଏଠାରେ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ଯୋଗୁ କରେନା ଏଠାରେ ହାରୁଥିବା କୁହାଯାଉଛି। ଘରକୁ ଘର ବୁଲି କରାଯାଇଥିବା ସ୍କ୍ରିନିଂର ସୁଫଳ ମିଳିଥିବା ପ୍ରଶାସନ କହିଛି। ଅଗଷ୍ଟ ୧ ପରଠାରୁ ଏଠାରେ କୌଣସି ମୃତ୍ୟୁ ଘଟି ନ ଥିବାବେଳେ ବର୍ତ୍ତମାନ ଏଠାରେ ୮୮ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

Share