ଖୁସି ଖବର: ଆସିଲା କରୋନା ଔଷଧ

ଓ୍ବାଶିଂଟନ,୨୩ା୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବିଶ୍ୱବ୍ୟାପୀ ଚିନ୍ତାର ବିଷୟ। ବ୍ରିଟେନ, ଆମେରିକା, ଇସ୍ରାଏଲ ସମେତ ଅନେକ ଦେଶରେ ଓମିକ୍ରନ ମାମଲା ବୃଦ୍ଧି ପାଉଛି। ଭାରତରେ ମଧ୍ୟ କରୋନା ଭାରିଆଣ୍ଟ ଧୀରେ ଧୀରେ ମାଡ଼ିଲାଣି। ଏହି ସମୟ ମଧ୍ୟରେ ଆମେରିକାରୁ ଏକ ଖୁସି ଖବର ଆସିଛି। କରୋନା ଔଷଧ ‘ପାକ୍ସଲୋଭିଡ’ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ଲାଭ କରିଛି। ଏହି ଔଷଧ ଖାଇବା ପରେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଏବଂ ମୃତ୍ୟୁର ସମ୍ଭାବନା ବହୁତ କମିଯିବ ବୋଲି ଦାବି କରାଯାଇଛି।

ଆମେରିକା ଫାର୍ମା କମ୍ପାନୀ ଫାଇଜର ଦ୍ୱାରା ପ୍ରସ୍ତୁତ ହୋଇଛି ଏହି ପ୍ରଥମ କୋଭିଡ୍‌ ବଟିକା ‘ପାକ୍ସଲୋଭିଡ’ । କରୋନା ମହାମାରୀରୁ ଏହା ସୁରକ୍ଷା ଦେବ। ଏହି ଆଣ୍ଟି ଭାଇରାଲ ଟାବଲେଟ ଫାର୍ମା କମ୍ପାନୀ ଫାଇଜର ପ୍ରସ୍ତୁତ କରିଥିବା ଆଣ୍ଟି ଭାଇରାଲ କରୋନା ବଟିକା ‘ପାକ୍ସଲୋଭିଡ’କୁ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେଶନ ଅନୁମତି ଦେଇଛି । ବିଶ୍ୱର ବିଭିନ୍ନ ଦେଶରେ ଓମିକ୍ରନ ମାଡ଼ି ଚାଲିଥିବା ବେଳେ ଏହି ବଟିକା ଆକ୍ରାନ୍ତଙ୍କୁ ଗୁରୁତର ହେବାରୁ ସୁରକ୍ଷା ଦେଇପାରିବ ବୋଲି କୁହାଯାଉଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବଟିକା ଓମିକ୍ରନ ଷ୍ଟ୍ରେନ୍‌କୁ ମଧ୍ୟ ମାତ୍‌ ଦେବାରେ ସଫଳ ବୋଲି ଫାଇଜର ଦାବି କରିଛି । କମ୍ପାନୀ ଏହାର ଉତ୍ପାଦନ କ୍ଷମତା ୮୦ ମିଲିଅନରୁ ୧୨୦ ମିଲିଅନକୁ ବଢ଼ାଇଛି। କରୋନାର ଏହି ବଟିକା ଯୁକ୍ତରାଷ୍ଟ୍ର ଆମେରିକାରେ ତୁରନ୍ତ ବିତରଣ ଆରମ୍ଭ କରିବାକୁ ପ୍ରସ୍ତୁତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ୧୨ ବର୍ଷରୁ ଅଧିକ ବୟସ୍କ ଲୋକ ଏହି ବଟିକା ଖାଇପାରିବେ । ସେପଟେ ଫାର୍ମା କମ୍ପାନୀ ମର୍କ ଆଣ୍ଡ କୋ. ପ୍ରସ୍ତୁତ କରିଥିବା କରୋନା ଔଷଧକୁ ଫିଲିପାଇନ୍ସରେ ମଧ୍ୟ ମଞ୍ଜୁରି ଦିଆଯାଇଛି ।

Share