୨୦୨୦ରେ ପ୍ରକାଶିତ ସଂଖ୍ୟାଠାରୁ କରୋନା ମୃତ୍ୟୁ ଅଧିକ, ସରକାରୀ ରିପୋର୍ଟ…

ନୂଆଦିଲ୍ଲୀ, ୨୬।୫ : ଦେଶରେ କରୋନା ସଂକ୍ରମଣ ଯୋଗୁ ୨୦୨୦ରେ ଘଟିଥିବା ମୃତ୍ୟୁ ସଂଖ୍ୟା ପ୍ରକାଶିତ ସଂଖ୍ୟାଠାରୁ ଅଧିକ ରହିଛି। ଏନେଇ ସଦ୍ୟତମ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତର ରେଜିଷ୍ଟ୍ରାର୍‌ ଜେନେରାଲ ଅଫ ଇଣ୍ଡିଆଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ପରିସଂଖ୍ୟାନ ଏହି ନୂତନ ପ୍ରମାଣ ପ୍ରଦାନ କରୁଛି। ଭାରତରେ କରୋନା ମୃତ୍ୟୁ ହାରକୁ ସରକାରୀ ଭାବେ କମ କରାଯାଇଛି।

ରେଜିଷ୍ଟ୍ରାର୍‌ ଜେନେରାଲ ଅଫ ଇଣ୍ଡିଆଙ୍କ ଦ୍ୱାରା ପ୍ରକାଶିତ ମେଡିକାଲ ସାର୍ଟିଫିକେଶନ ଅଫ ଡେଥ ତଥ୍ୟ ଅନୁଯାୟୀ, କରୋନା ଯୋଗୁ ମୃତ୍ୟୁ ୨୦୨୦ରେ ମୃତ୍ୟୁର ତୃତୀୟ ପ୍ରମୁଖ କାରଣ ଥିଲା। ରେଜିଷ୍ଟ୍ରାର୍‌ ଜେନେରାଲ ଅଫ ଇଣ୍ଡିଆ ଭାରତର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ। ଏହି ତଥ୍ୟ ଭିତିକ ରିପୋର୍ଟ ମେ ୨୬ ରେ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ୨୦୨୦ରେ ଭାରତରେ କରୋନା ସଂକ୍ରମଣ ଯୋଗୁ ୧,୬୦୬୧୮ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହି ବର୍ଷ ମୋଟ ୧, ୮୧୧.୬୮୮ ମେଡିକାଲରେ ପ୍ରମାଣିତ ମୃତ୍ୟୁ ମଧ୍ୟରୁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୮.୯ ପ୍ରତିଶତ ରହିଛି। ମେଡିକାଲ ସାର୍ଟିଫିକେଶନ ଅଫ ମୃତ୍ୟୁର କାରଣ ଉପରେ ଏହି ତଥ୍ୟ ନାଗରିକ ପଞ୍ଜିକରଣ ସିଷ୍ଟମରୁ ସଂଗ୍ରହ କରାଯାଇଛି ।

୨୦୨୦ରେ କରୋନା ଯୋଗୁ ଭାରତର ସରକାରୀ ମୃତ୍ୟୁ ସଂଖ୍ୟା ହିସାବଠାରୁ ଏହି ସଂଖ୍ୟା ଅଧିକ ରହିଛି। ରାଜ୍ୟଗୁଡିକ ଦ୍ୱାରା ଜାରି କରାଯାଇଥିବା କରୋନା ବୁଲେଟିନରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି ରିପୋର୍ଟ ଅନୁଯାୟୀ ୨୦୨୦ରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୪୯,୦୩୬ ଥିବାବେଳେ ଭାରତର ରେଜିଷ୍ଟ୍ରାର ଜେନେରାଲ ଏହାକୁ ୧,୬୦, ୬୧୮ ଉଲ୍ଲେଖ କରିଛନ୍ତି। ରାଜ୍ୟର କରୋନା ବୁଲେଟିନ୍‌ ଅନୁସାରେ ସମୁଦାୟ ମୃତ୍ୟୁର ୧୧,୫୮୨ ଅର୍ଥାତ୍‌ ୭.୨ ପ୍ରତିଶତ ରେକର୍ଡ ହୋଇନାହିଁ ।

ମେଡିକାଲ ସାର୍ଟିଫିକେଟ ମୃତ୍ୟୁ ସମସ୍ତ ପଞ୍ଜିକୃତ ମୃତ୍ୟୁର ଏକ ଚତୁର୍ଥାଂଶରୁ କମ ରହିଛି। ସମସ୍ତ ମୃତ୍ୟୁ ପଞ୍ଜିକୃତ ହୋଇ ନାହିଁ। ପଞ୍ଜିକୃତ ହୋଇଥିବା ୮,୦୬୨,୦୭୦ ତୁଳନାରେ ୨୦୨୦ରେ ୧,୮୧୧,୬୮୮ ମୃତ୍ୟୁ ମେଡିକାଲରେ ପ୍ରମାଣିତ ହୋଇଥିଲା। ୨୦୨୦ ସିଆର୍‌ଏସ୍‌ ରିପୋର୍ଟରେ ପଞ୍ଜିକରଣସ୍ତରର ସୂଚନା ପ୍ରଦାନ କରାଯାଇ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

Share